ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ, ଚାରି ନାହାକାରେ ସାଲ କାର୍ଯ୍ୟରେ ବ୍ୟସ୍ତ ବିଶ୍ବକର୍ମା

Published By : Prameya-News7 Bureau | May 25, 2023 IST

ପୁରୀ ୨୫।୫: ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ବୁଧବାର ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ ହୋଇଛି । ପାର୍ଶ୍ବ ଦଣ୍ଡା ଲାଗି ପାର୍ଶ୍ବ ମୁହାଁଟି ସ୍ଥାପନ ହୋଇଛି । ପାର୍ଶ୍ବ ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାର୍ଶ୍ବ ନିରାଡ଼ି ସ୍ଥାପନ ହୋଇଥିଲା । ଏହାପରେ କଳସା ହୋଇ ନମ୍ବରିଂ ହୋଇ ଦଣ୍ଡା ଫ୍ରେମ୍‌ ଖୋଲାଯିବ । ପରେ ଏସବୁ ରଥରେ ଫିଟିଂ ହେବ । ରଥଖଳାରେ ଗରଗରାରେ ବିନ୍ଧ ସରିଛି । ନନ୍ଦିଘୋଷ  ଓ ଦେବଦଳନ ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରଥର ଓରା, ଖମ୍ବୀ ଓ ଚାରି ନାହାକା କାମ ଶେଷ ହେବା ଉପରେ ରହିଛି ।

ବିଶ୍ୱକର୍ମାମାନେ ଓରା କାଠ ହାଣି ବିନ୍ଧ କରିଛନ୍ତି । ଓରା ଓ ଖମ୍ବୀ ରଥର ଉପର ଭାଗ ଅଂଶ ।  ୪ ନାହାକା ଉଠିଲେ ତା’ ଉପରେ ପ୍ରଥମ ଭୁଇଁ ଉଠିବ ।  ପ୍ରଥମ ଭୁଇଁ ଉପରେ ରହିବ ଓରା । ଓରା ଉପରେ ତିନି ଥାକ ହୋଇ ରଥର ଉପର ଅଂଶ ନିର୍ମାଣ କରାଯିବ । ରଥର ୪ଗୋଟି ଲେଖାଏଁ ଓରା କାଠ କଟାଯାଇଛି । ୪ ଓରାରେ  ୮ଟି ବିନ୍ଧ ସରିଛି । ରଥରେ ତିନୋଟି ଭୂଇଁ ରହିବ । ନିମ୍ନରୁ ଉପରକୁ ମନ୍ଦିରାକୃତି ସାମାନ୍ୟ ଛୋଟ ।

ଚାରି ନାହାକାରେ ସାଲ କାର୍ଯ୍ୟ ଜାରି ରହିଛି । ଚକ ଓ ଅଖ ଗୁଡ଼ିକ ମାପଚୁପ  ହୋଇ ରହିଲେ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏହାପରେ ରଥ ଉପରି ଭାଗ କାମ ଆରମ୍ଭ ହେବ । ରୂପକାର ସେବକମାନେ ରଥର ବିଭିନ୍ନ ଅଂଶରେ ଖୋଦେଇ କାମ ଜାରି ରଖିଛନ୍ତି । ଦୋଳବେଦୀ ପରିସରରେ କରତୀ ସେବକମାନେ ରଥର ଗୟଳ  ଚିରଟ କରୁଛନ୍ତି । ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରୁଛନ୍ତି । ତିନି ରଥର ନିର୍ମାଣ  କାର୍ଯ୍ୟରେ ସମନ୍ୱୟ ରଖି କାମ ଆଗଉଛି । ସ୍ନାନପୂର୍ଣ୍ଣମୀକୁ ଚାହିଁ ରଥ କାର୍ଯ୍ୟ ଜାରି ରହିଥିବା ନିର୍ମାଣକାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା । ମୁଖ୍ୟ ପାଞ୍ଚ ଦଣ୍ଡାରେ ମୁହାଁଟି ଲାଗିଥିଲା  । ଆଗ ଓ ପଛ ମୁହାଁଟିରେ ଗୁଜ ପୋତା ହୋଇଥିଲା ।  ୫ ଗୁଜ ଉପରେ ନିରାଡ଼ି ଉଠିଥିଲା ।  ଏହାପରେ ଚତୁଃପାର୍ଶ୍ବରେ କୁଡ଼ୁକା ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.