Ranji Trophy: ୪୭ମ ଥର ରଣଜୀ ଟ୍ରଫି ଫାଇନାଲରେ ମୁମ୍ବାଇ, ଯଶସ୍ୱୀଙ୍କ ଧମାଲ, ଫାଇନାଲରେ ମଧ୍ୟ ପ୍ରଦେଶ ସହ ମୁକାବିଲା

Published By : Prameya-News7 Bureau | June 18, 2022 IST

ବେଙ୍ଗାଲୁରୁ: ମୁମ୍ବାଇ ଦଳ ରେକର୍ଡ ୪୭ତମ ଥର ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି । ଦଳ ସେମି ଫାଇନାଲରେ ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟ ହାସଲ କରିଛି । ପଡିଆ ଅଦା ଥିବାରୁ ମ୍ୟାଚର ପଞ୍ଚମ ତଥା ଶନିବାର ଅନ୍ତିମ ଦିନର ପ୍ରଥମ ସେସନ ଖେଳ ହୋଇ ପାରିନଥିଲା । ଦୁଇ ଦଳର ଅଧିନାୟକ ମ୍ୟାଚ୍ ଡ୍ର ରଖିବା ନେଇ ସହମତି ହୋଇଥିଲେ । ସେହି ସମୟରେ ମୁମ୍ବାଇ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୫୫୩ ରନ କରି ଇନିଂସ ଘୋଷଣା କରିଥିଲା । ମୁମ୍ବାଇ ପ୍ରଥମ ଇନିଂସରେ ୩୯୩ ରନ କରିଥିବା ବେଳେ ଉତ୍ତର ପ୍ରଦେଶ ୧୮୧ ରନରେ ଅଲଆଉଟ୍ ହୋଇଥିଲା । ମୁମ୍ବାଇ ଜୁନ ୨୨ରେ ଖେଳାଯିବାକୁ ଥିବା ଫାଇନାଲରେ ମଧ୍ୟ ପ୍ରଦେଶକୁ ଭେଟିବ । ମଧ୍ୟ ପ୍ରଦେଶ ପଶ୍ଚିମବଙ୍ଗକୁ ୧୭୪ ରନରେ ହରାଇ ୨୧ ବର୍ଷପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ।

ମୁମ୍ବାଇ ରେକର୍ଡ ୪୧ଥର ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଦଳ ୨୦୧୬-୧୭ ପରେ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି । ଶେଷ ଥର ଦଳ ୨୦୧୫-୧୬ରେ ଟାଇଟଲ୍ ଜିତିଥିଲା । ଦଳ ଫାଇନାଲରେ ସୌରାଷ୍ଟ୍ରକୁ ହରାଇଥିଲା । ଆଜି ସଂପନ୍ନ ଦ୍ୱିତୀୟ ସେମି ଫାଇନାଲର ଦ୍ୱିତୀୟ ଇନିଂସରେ ଉତ୍ତର ପ୍ରଦେଶ ୯ ବୋଲରଙ୍କୁ ବୋଲିଂ କରାଇଥିଲା । ପ୍ରିନ୍ସ ଯାଦବ ଦୁଇଟି ୱିକେଟ୍ ନେଇଥିବା ବେଳେ ଶିବମ ମାଭି ଏବଂ ସୌରଭ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମୁମ୍ବାଇ ପକ୍ଷରୁ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସୱାଲଙ୍କ ବ୍ୟତୀତ ହାର୍ଦ୍ଦିକ ତୋମୋରେ ୧୧୫ ରନ କରିଥିଲେ । ଶମ୍ସ ମୁଲାନୀ ମଧ୍ୟ ୫୦ ରନର ଯୋଗଦାନ ଦେଇଥିଲେ । ଅନ୍ୟପଟେ ଉତ୍ତର ପ୍ରଦେଶର କୌଣସି ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରିନଥିଲେ । ନବମରେ ବ୍ୟାଟିଂ କରିଥିବା ଶିବମ ମାବି ସର୍ବାଧିକ ୪୮ ରନ କରିଥିଲେ ।

ମୁମ୍ବାଇର ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୟସୱାଲ ୧୮୧ ରନ କରିଥିବା ବେଳେ ଅରମାନ ଜାଫର ୧୨୭ ରନର ଶତକୀୟ ଇନିଂସ ଖେଳିଥିଲେ । ପୃଥ୍ୱୀ ଶ ୬୪ ରନ କରିଥିବା ବେଳେ ସରଫରାଜ ଖାନ ଏବଂ ସାମ୍ସ ମୁଲାନୀ୫୧ ରନରେ ଅପରାଜିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.