LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାମ ନବମୀରେ ରାମମୟ ହେଲା କୋରାପୁଟ; ସଂକୀର୍ତ୍ତନ ଭଜନରେ ଝୁମିଲା ଜିଲ୍ଲା

30/03/2023 at 10:20 PM

କୋରାପୁଟ: ରାମ ନବମୀ ଉପଲକ୍ଷେ ଉତ୍ସବମୁଖର ସାରା ରାଜ୍ୟ। କୋରାପୁଟ ଜିଲ୍ଲାରେ ମଧ୍ୟ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ। ଗେରୁଆ ପତାକା ଓ ପ୍ରଭୁ ଶ୍ରୀରାମଙ୍କ ଫୋଟୋରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଛି କୋରାପୁଟ ସହର। ରାମ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କୋରାପୁଟ ରାମନବମୀ ପାଳନରେ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

କୋରାପୁଟ ସହର ହନୁମାନ ବାଟିକାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଜାରିପୁଟ ସ୍ଥିତ ରାମ ମନ୍ଦିରରେ ପହଞ୍ଚିଥିଲା। କୋରାପୁଟ ଜିଲ୍ଲାର ସମସ୍ତ ବ୍ଳକର ୪ଶହରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କୋରାପୁଟ ସହରର ହଜାର ହଜାର ରାମଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଆଦିବାସୀ ବହୁଳ ଜନଜାତି ଅଞ୍ଚଳରେ ଯୁଗ ଯୁଗ ଧରି ସର୍ବ ଧର୍ମର ଲୋକଙ୍କ ମଧ୍ୟରେ ସମନ୍ୱୟ ଓ ଭାଇଚାରାର ନିଦର୍ଶନ ଏବେ ବି ବଞ୍ଚି ରହିଛି।

ଜନଜାତି ଅଞ୍ଚଳର ଲୋକେ ଆଜିକାର ସମାଜ ପାଇଁ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ବାଣ୍ଟିଛନ୍ତି। କୋରାପୁଟ ଜିଲ୍ଲାରେ ସବୁ ଧର୍ମ ଓ ସମ୍ପ୍ରଦାୟର ଲୋକେ ଆଜି ଏକାଠି ହୋଇ ରାମନବମୀ ଉତ୍ସବ ପାଳନ କରିଛନ୍ତି। ଶୋଭାଯାତ୍ରାରେ ବାହାରି ଖାଲି ପାଦରେ ଚାଲି ଚାଲି ଯାଉଥିବା ଶ୍ରୀରାମ ନବମୀ ଶୋଭାଯାତ୍ରୀଙ୍କୁ ମୁସଲିମ ଧର୍ମାବଲମ୍ବିଙ୍କ ପକ୍ଷରୁ ପାନୀୟ ଜଳ ଓ ପଣା ବଣ୍ଟନ କରି ସ୍ୱାଗତ କରାଯାଇଛି।

ହଜାର ହଜାର ଶ୍ରୀରାମ ଭକ୍ତଙ୍କ ସେବା କରିବାର ସୁଯୋଗ ମିଳୁଥିବାରୁ ମୁସଲିମ ସମ୍ପ୍ରଦାୟ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଆଗକୁ ମଧ୍ୟ ଏହିଭଳି ସେବା ଜାରି ରଖିବେ ବୋଲି ସେମାନେ କହିଛନ୍ତି।

ଚଳିତ ବର୍ଷ ଆୟୋଜିତ ଶ୍ରୀରାମ ନବମୀ ଶୋଭାଯାତ୍ରାରେ ୨୦ହଜାର ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଗାଁ ଗାଁ ରୁ ଲୋକେ ନିଜସ୍ୱ ଉଦ୍ୟମରେ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଫଳରେ ସହର ସାରା ରାମମୟ ହୋଇପଡିଥିବା ବେଳେ ପ୍ରବଳ ଜନ ସମାଗମ ହୋଇଥିବା ଦେଖାଯାଇଛି।

ଅଶୋକ ନଗର ହାଉସିଂ ବୋର୍ଡ କଲୋନୀ ହନୁମାନ ବାଟିକାରୁ ବାହାରିଥିବା ଶ୍ରୀରାମଙ୍କ ପାଦୁକା ଓ ସଂକିର୍ତ୍ତନ ଶୋଭାଯାତ୍ରାରେ ହଜାର ହଜାର ମହିଳା ପୁରୁଷ ଓ ଯୁବତୀ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ। ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ କୋରାପୁଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।  ସୁରକ୍ଷା ବ୍ୟବସ୍ଥା ସହ କିଛି ଅପ୍ରିତୀକର ପରିସ୍ଥିତି ଏଡାଇବା ପାଇଁ ୬ପ୍ଳାଟୁନ ଫୋର୍ସ ସହ ନିଜେ କୋରାପୁଟ ଏସପି ସ୍ଥିତି ତଦାରଖ କରି ଶୋଭାଯାତ୍ରାରେ ବୁଲୁଥିବା ଦେଖିବାକୁ ମିଳିଥିଲା। 

   Related Posts