ଅସଂରକ୍ଷିତ ଶିକ୍ଷକ ପଦବୀରେ ନିଯୁକ୍ତି ଦାବି କରୁଛନ୍ତି ଅନୁସୂଚୀତ ଜନଜାତି : ରାଜସ୍ଥାନରେ ହିଂସା, ଜଣେ ମୃତ, କେନ୍ଦ୍ରକୁ ରାପିଡ୍ ଆକ୍ସନ ଫୋର୍ସ ମାଗିଲା ରାଜ୍ୟ

Published By : Prameya-News7 Bureau | September 27, 2020 IST

ଜୟପୁର, ୨୭|୦୯:   ରାଜସ୍ଥାନରେ ଶିକ୍ଷକ ଭର୍ତ୍ତିକୁ ନେଇ ହିଂସା ଚରମ ସୀମାରେ ପହଁଚିଛି। ଅସଂରକ୍ଷିତ ପଦକୁ ଏସଟି ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରଖିବା ଦାବିରେ ଲଗାତର ୪ ଦିନ ଧରି ବିରୋଧ ପ୍ରଦର୍ଶନ କରାଯାଉଛି । ପ୍ରଦର୍ଶନକାରୀମାନେ ଉଦୟପୁରର ଖେରବାଡାରେ ଥିବା କିଛି ପାହାଡକୁ କବଜା କରି ନେଇଛନ୍ତି । ସେଠାରୁ ସେମାନେ ସମସ୍ତ ଗତିବିଧି ଉପରେ ନଜର ରଖୁଛନ୍ତି । ଅନ୍ୟପଟେ ପ୍ରଶାସନିକ ଅଧିକାରୀମାନେ ଆଦିବାସୀ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ଖେରବାଡାରେ ହୋଇଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଗୁଳିଚାଳନା କରିବାକୁ ପଡିଥିଲା । ଏହାମଧ୍ୟରେ ସରକାର କେନ୍ଦ୍ରକୁ ରାପିଡ୍ ଆକ୍ସନ ଫୋର୍ସ ମାଗିଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେହି ସମୟରେ ହିଂସା ଉପୁଜିଥିଲା ଯେତେବେଳେ ଶିକ୍ଷକ ଭର୍ତ୍ତି ପରୀକ୍ଷା-୨୦୧୮ର ପ୍ରାର୍ଥୀମାନେ ଉଦୟପୁର-ଅହମ୍ମଦାବାଦ ରାସ୍ତା ଅବରୋଧ କରିଥିଲେ । ପୋଲିସ ଉପରେ ମଧ୍ୟ ପଥରମାଡ କରିଥିଲେ ।ଏହାସହ ସରକାରୀ ସମ୍ପତ୍ତିକୁ ଭାଙ୍ଗିରୁଜି ଦେଇଥିଲେ । ସେମାନେ ସାଧାରଣ ବର୍ଗଙ୍କ ପାଇଁ ଥିବା ୧୧୬୭ ପଦ ଏସଟି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ । ହିଂସା ଶୁକ୍ରବାର ଓ ଶନିବାର ମଧ୍ୟ ଜାରି ରହିଥିଲା ।

ସରକାର ହିଂସା ରୋକିବା ପାଇଁ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଦର୍ଶନକାରୀଙ୍କ ଦାବିକୁ ପୂରଣ କରିବେ ବୋଲି କହିଥିଲେ । ତେବେ ଏହି ହିଂସାକାଣ୍ଡରେ ୩ହଜାର ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ୩୪ଜଣହଙ୍କୁ ଗିରଫ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.