ଚଣ୍ଡିଗଡ଼: ଯଶସ୍ଵୀ ଜୟସ୍ଵାଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ପଞ୍ଜାବ କିଙ୍ଗ୍ସକୁ ୫୦ ରନରେ ହରାଇଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍ର ୧୮ତମ ମ୍ୟାଚ୍ ଜିତି ଚଳିତ ସଂସ୍କରଣର କ୍ରମାଗତ ଦ୍ଵିତୀୟ ମ୍ୟାଚ୍ ଜିତିବା ସହ ପଏଣ୍ଟ ତାଲିକାରେ ସପ୍ତମକୁ ଉଠିଛି ରାଜସ୍ଥାନ। କ୍ରମାଗତ ଦୁଇଟି ମ୍ୟାଚ୍ ଜିତିଥିବା ପଞ୍ଜାବ ଆଇପିଏଲ୍ ୨୦୨୫ରେ ପ୍ରଥମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୪ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଦଳ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ ୬୭ ରନ କରିଥିବା ବେଳେ ରିୟାନ ପରାଗ ୪୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ୯ ଓ୍ଵିକେଟ୍ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଛି। ନେହଲ ଓ୍ଵଧେରାଙ୍କ ୬୨ ରନର ଇନିଂସ ବୃଥା ହୋଇଛି। ବୋଲିଂ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।
୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସକୁ ପ୍ରଥମ ଓଭରରେ ହିଁ ଡବଲ ଝଟକା ଲାଗିଥିଲା। ପ୍ରିୟାଂଶ ଆର୍ଥ୍ୟ ପ୍ରଥମ ଓଭରର ପ୍ରଥମ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଅଧିନାୟକ ଶ୍ରେୟସ ଆୟର(୧୦ ରନ) ଆଉଟ୍ ହେବା ପଞ୍ଜାବ କିଙ୍ଗ୍ସକୁ ବଡ଼ ଝଟକା ଲାଗିଥିଲା। ମାର୍କସ ଷ୍ଟୋଇନିସ(୧ ରନ) ନିରାଶ କରିଥିଲେ। ଫର୍ମରେ ଥିବା ପ୍ରଭସିମରନ ସିଂ ୧୭ ରନ କରି ପାଭିଲିୟନ ଫେରିଥିଲେ। ୪୩ ରନରେ ୪ ଓ୍ଵିକେଟ୍ ହରାଇବା ନେହଲ ଓ୍ଵଧେରା ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ପଞ୍ଚମ ଓ୍ଵିକେଟରେ ୮୮ ରନ ଯୋଡ଼ି ଦଳର ସ୍ଥିତି ସୁଧାରିବା ସହ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ।
ତେବେ ୧୩୧ ରନ ସ୍କୋରରେ ଓ୍ଵଧେରା ଓ ମ୍ୟାକ୍ସଓ୍ଵେଲ ଆଉଟ୍ ହେବା ସହ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା। ଅର୍ଦ୍ଧଶତକ ହାସଲ କରିଥିବା ଓ୍ବଧେରା ୪୧ ବଲରୁ ୪ ଚୌକା ଓ ୩ ଛକା ସହ ୬୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପଞ୍ଜାବ ନିୟମିତ ଓ୍ଵିକେଟ୍ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା। ବୋଲିଂରେ ଜୋଫ୍ରା ଆର୍ଚର ୨୫ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ସନ୍ଦୀପ ଶର୍ମା ଓ ମହିଶ ତୀକ୍ଷଣା ପ୍ରତ୍ୟେକଙ୍କୁ ଦୁଇଟି ଓ୍ଵିକେଟ୍ ମିଳିଛି।