ଭୁବନେଶ୍ୱର୨୪।୦୬: ବୁଧବାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ଅଛି । କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ । ୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବୁଧବାର ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଅଧିକ ବର୍ଷା ହେବ। ଓଡ଼ିଶାର କିଛି ସ୍ଥାନରେ ବି ଭାରି ବର୍ଷା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗର ଆକଳନ କହୁଛି, ଗୁରୁବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି ।
ସେହିପରି ୨୭ ଓ ୨୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ସକାଳରୁ ସନ୍ଧ୍ୟା ଭିତରେ ଚାନ୍ଦବାଲିରେ ୪୨.୬ ମିମି ବର୍ଷା ହୋଇଛି । କୋରାପୁଟରେ ୨୪.୪, ଭବାନୀପାଟଣାରେ ୨୦.୪, ରାୟଗଡ଼ାରେ ୪.୬ ଓ ଦାରିଙ୍ଗବାଡ଼ିରେ ୪ମିମି ବର୍ଷା ହୋଇଛି ।