୨୨ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ରାହୁଲ, ବହନ କରିବେ ସମସ୍ତଙ୍କ ପାଠପଢ଼ା ଖର୍ଚ୍ଚ

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ: ଲୋକସଭାରେ ବଡ଼ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ରାହୁଲ। ୨୨ ଜଣ ପିଲାଙ୍କ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସେହି ପିଲାମାନଙ୍କ ପାଇଁ ନିଆଯାଇଛି ଯେଉଁମାନେ ଅପରେସନ ସିନ୍ଦୁର ପରେ LoC ନିକଟରେ ପାକିସ୍ତାନୀ ଗୁଳିମାଡ଼ରେ ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି। ପୁଞ୍ଚ ଗସ୍ତ ସମୟରେ, ରାହୁଲ ଗାନ୍ଧୀ ପ୍ରଭାବିତ ପରିବାରଗୁଡ଼ିକୁ ମଧ୍ୟ ଭେଟିଥିଲେ।

ପିଲାମାନଙ୍କର କଷ୍ଟକର ପରିସ୍ଥିତି ଦେଖି, ସେ ଦଳୀୟ ପଦାଧିକାରୀଙ୍କୁ ଏପରି ଛାତ୍ରମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନଙ୍କର ପାଠପଢ଼ା ଆର୍ଥିକ ସଙ୍କଟ ଯୋଗୁଁ ବନ୍ଦ ହୋଇପାରେ। ପାକିସ୍ତାନ ପଟୁ ଆକ୍ରମଣ ପରେ ରାହୁଲ ଗାନ୍ଧୀ ପୁଞ୍ଚ ଯାଇ ସ୍କୁଲ ଅନାଥ ପିଲାମାନଙ୍କୁ ଭେଟିଥିବା ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ସେହି ସମୟରେ, ରାହୁଲ ଗାନ୍ଧୀ କହିଥିଲେ, 'ମୁଁ ଏହି ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟକ୍ତିଗତ ଭାବରେ କିଛି କରିବାକୁ ଚାହୁଁଛି।' ଏହା ପରେ, କଂଗ୍ରେସ ନେତାମାନେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୨ ପିଲାଙ୍କୁ ସାହାଯ୍ୟ ଦିଆଯିବ। 

ଜମ୍ମୁ ଏବଂ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ ହମିଦ କରରା କହିଛନ୍ତି ଯେ ଏହା ରାହୁଲ ଗାନ୍ଧୀଙ୍କ ପ୍ରତିବଦ୍ଧତାର ପରିଣାମ। ଏହା କେବଳ ଆର୍ଥିକ ସହାୟତା ନୁହେଁ, ଏହା ସମ୍ବେଦନଶୀଳତା ଏବଂ ଦାୟିତ୍ୱର ପ୍ରତୀକ। ରାଜୌରୀ ବିଧାୟକ ଇଫତିଖାର ଅହମ୍ମଦ ରାହୁଲ ଗାନ୍ଧୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.