ନୂଆଦିଲ୍ଲୀ: ବିରଳ ମୂଲ୍ୟବାନ ଖଣିଜ ଉପରେ ଚୀନର ଏକାଧିକାରକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ ଗ୍ରୁପ୍ ‘କ୍ବାଡ’ । ପ୍ରକୃତରେ ଚୀନ ଏବେ ଏହି ଖଣିଜ ପଦାର୍ଥକୁ ନେଇ ମନମାନୀ ଚଳାଇଛି। ଫଳରେ ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରତିରକ୍ଷା ଉଦ୍ୟୋଗ ପାଇଁ ଜରୁରୀ ମୂଲ୍ୟବାନ ଖଣିଜ ପଦାର୍ଥର ଠିକ୍ ଭାବରେ ଯୋଗାଣ ହୋଇପାରୁନାହିଁ।ଯେଉଁ କାରଣରୁ ବିଶ୍ବ ବଜାର ପ୍ରଭାବିତ ହୋଇଛି। ବିଶେଷ କରି ଇଭି ସେକ୍ଟର ଉପରେ ଏହାର ପ୍ରଭାବ ପଡ଼ିଛି।
ଏମିତିରେ କ୍ବାଡ ନେଇଥିବା ଏହି ନୂଆ ରଣନୀତିକ ପଦକ୍ଷେପ ଫଳରେ ମୂଲ୍ୟବାନ ଧାତୁ ଉପରେ ନିର୍ଭରଶୀଳତା କମ୍ କରିହେବ । ଏହା ସହ ମୂଲ୍ୟବାନ ଖଣିଜ ପଦାର୍ଥର ଯୋଗାଣ ନିରବଚ୍ଛିନ୍ନ ହୋଇପାରିବ। ବୁଧବାର କ୍ବାଡ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ବିରଳ ମୂଲ୍ୟବାନ ଖଣିଜ ଯୋଗାଣ ଶୃଙ୍ଖଳାରେ ହଠାତ୍ ବାଧା ଉପୁଜିଛି।
ଏହା ସହ ଭବିଷ୍ୟତରେ ମଧ୍ୟ ଯୋଗାଣ ଠିକ୍ ଭାବରେ ହେବ କି’ ନାହିଁ ତାହା ଅନିଶ୍ଚିତ। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହି ସାମଗ୍ରୀ ପାଇଁ ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରତା, ଦାମ୍ରେ ହେରାଫେରି କାରଣରୁ ଯୋଗାଣରେ ବାଧା ସୃଷ୍ଟି ହେବା ଆଶଙ୍କା ସବୁବେଳେ ରହିଥାଏ। ବିବୃତ୍ତିରେ ସ୍ପଷ୍ଟ ଭାବରେ ଚୀନକୁ ଟାର୍ଗେଟ କରି କୁହାଯାଇଛି, ଏହି ନିର୍ଭାରତା ଯୋଗୁ ଆମ ଉଦ୍ୟୋଗର ଆର୍ଥିକ ଏବଂ ଜାତୀୟ ସୁରକ୍ଷାକୁ କ୍ଷତି ହୋଇପାରେ। ଏମିତିରେ ଏହି ସମସ୍ୟା ଦୂର କରିବାକୁ ‘‘କ୍ବାଡ କ୍ରିଟିକାଲ ମିନେରାଲ୍ସ ଇନିସିଏଟିଭ’’ର ଘୋଷଣା କରାଯାଇଛି।
କ୍ବାଡ ପକ୍ଷରୁ ଆହୁରି କୁହାଯାଇଛି ‘‘ କ୍ବାଡ କ୍ରିଟିକାଲ ମିନେରାଲ୍ସ ଇନିସିଏଟିଭ’’ ଅନୁସାରେ ଘୋଷଣା ହୋଇଥିବା ସଦସ୍ୟ ଦେଶ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ଏବଂ ବିବିଧ କରିବାରେ ସହଯୋଗ କରିବେ। ଇ-ଓ୍ବେଷ୍ଟରୁ ଏହି ସବୁ ଖଣିଜର ପୁନଃପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବେ। ଘରୋଇ କମ୍ପାନି ସହ ମିଶି ନିବେଶକୁ ପ୍ରୋତ୍ସାହନ କରାଯିବ। ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି ଏହି ପଦକ୍ଷେପ ଅର୍ଥନୈତିକ ସୁରକ୍ଷା ଏବଂ ସାମୂହିକ ସ୍ଥିରତା ବୃଦ୍ଧି ଦିଗରେ ଖୁବ୍ ମହତ୍ବପୂର୍ଣ୍ଣ ହେବ।
କାହିଁକି ଜରୁରୀ ମୂଲ୍ୟବାନ ଧାତୁ ?
ମୂଲ୍ୟବାନ ଧାତୁ ଯେମିତିକି ଲିଥିୟମ, କୋବାଲ୍ଟ ଆଦିର ବ୍ୟବହାର ବ୍ୟବହାର ଇଲେକ୍ଟ୍ରିକ୍ ଗାଡ଼ି, ପ୍ରତିରକ୍ଷା ଉପକରଣ, ଇଲେକ୍ଟ୍ରିକ ଏବଂ ସେମିକଣ୍ଡକ୍ଟରରେ ରହିଥାଏ। NdFeb ମ୍ୟାଗନେଟ ଇଲେକ୍ଟ୍ରିକ ମୋଟର ପାଇଁ ଆବଶ୍ୟକ ହୋଇଥାଏ। ଏହା ଉପରେ ପ୍ରାୟ ଚୀନର ଏକାଧିକାର ରହିଛି।
ଭାରତ ଉପରେ କିପରି ପ୍ରଭାବ ପଡ଼ିଛି ?
ମୂଲ୍ୟବାନ ଧାତୁ ଉପରେ ଚୀନର ମାନମାନୀ କାରଣରୁ ଭାରତର ଇଭି ଇଣ୍ଡଷ୍ଟ୍ରି ମଧ୍ୟ ପ୍ରଭାବିତ ହାଇଛି। ଭାରତୀୟ ଇଭି କାର୍ କମ୍ପାନିମାନେ ଚୀନକୁ କଞ୍ଚାମାଲ ଯୋଗାଇଦେବାକୁ କହିଥିଲେବି ଚୀନ ଭାରତୀୟ କାର୍ କମ୍ପାନିଙ୍କ ଆବେଦନକୁ ମଞ୍ଜୁରୀ ଦେଇନାହିଁ। ଓଲଟା ବେଜିଂ କହିଛି କମ୍ପାନିମାନେ ନିଜେ ଭିନ୍ନ ଭିନ୍ନ ଉପକରଣ ପ୍ରସ୍ତୁତ କରିବା ବଦଳରେ ପୂରା ମୋଟର ଆସେମ୍ବଲି ଚୀନଠାରୁ ହିଁ କିଣନ୍ତୁ। ଯାହା ଭାରତୀୟ କମ୍ପାନିଙ୍କ ନିର୍ମାଣ ଯୋଜନା ଉପରେ ସଙ୍କଟ ଘନେଇଛି। ଏମିତିରେ ମ୍ୟାଗନେଟ ଏବଂ ଆବଶ୍ୟକୀୟ ଉପକରଣର ଅଭାବ ବଢ଼ିଚାଲିଛି।
ଜି୭ରେ ମଧ୍ୟ ନିଆଯାଇଛି ପଦକ୍ଷେପ
ଏହା ପୂର୍ବରୁ କାନାଡାରେ ହୋଇଥିବା ଜି୭ ସମ୍ମିଳନୀରେ ମଧ୍ୟ ମୂଲ୍ୟବାନ ଖଣିଜ ଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଯାହାକୁ ଭାରତ ସମର୍ଥନ ଦେଇଛି। ଏହାର ନାଁ RISE ଇନିସିଏଟିଭ ରହିଛି। ଏହାର ଲକ୍ଷ୍ୟ ରହିଛି ବିଶ୍ବ ବ୍ୟାଙ୍କ ସହଯୋଗରେ ମୂଲ୍ୟବାନ ଖଣିଜର ଯୋଗାଣ ଶୃଙ୍ଖଳାକୁ ମଜଭୁତ କରାଯିବ। ଜାପାନ ଏବଂ ଅନ୍ୟ ଦେଶ ମଧ୍ୟ ଏଥିରେ ୨୫ ମିଲିୟନ ଡଲାରର ଯୋଗଦାନ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଭାରତ- ଆମେରିକା ଦ୍ବିପାକ୍ଷିକ ସହଯୋଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସମୟରେ ବିରଳ ମୂଲ୍ୟବାନ ଖଣିଜ ଯୋଗାଣ ପାଇଁ ‘TRUST’ ପଦକ୍ଷେପ ଉପରେ ସହମତି ହୋଇଥିଲା। ଲିଥିୟମ ଏବଂ ରେୟାର ଆର୍ଥ ଏଲିମେଣ୍ଟର ଖନନ ଏବଂ ପ୍ରକ୍ରିୟାକରଣ ପାଇଁ ଜ୍ଞାନକୌଶଳ ବିକାଶ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି।