ଯୁଦ୍ଧ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ଋଷ, ହେଲେ ୟୁକ୍ରେନ୍ କହୁଛି ନାଁ: ଭ୍ଲାଦିମିର ପୁଟିନ
25/12/2022 at 7:04 PM

ମସ୍କୋ: ଦୀର୍ଘ ୧୦ ମାସ ଯୁଦ୍ଧ ପରେ ୟୁକ୍ରେନ୍ ସହ ଆଲୋଚନା କରିବାକୁ ରାଜି ହୋଇଛି ଋଷ। ପୂର୍ବରୁ ମଧ୍ୟ ଋଷ ଅନେକ ଥର ବୁଝମାଣ କରିବାକୁ ରାଜି ହୋଇଥିଲେ ବି ୟୁକ୍ରେନ୍ର ସର୍ତ୍ତରେ ରାଜି ହୋଇନଥିଲା। ଏଥିପାଇଁ ବୈଠକ ହୋଇପାରି ନଥିଲା। ହେଲେ ଏବେ ଋଷ ୟୁକ୍ରେନ୍ ସହ ଆଲୋଚନା କରିବାକୁ ଚାହୁଁଛି। ହେଲେ ଏତେ କ୍ଷତି ସହି ସାରିଥିବା ୟୁକ୍ରେନ୍ କିନ୍ତୁ ଆଉ ବୁଝାମଣା କରିବା ମୋଡ୍ରେ ନାହିଁ।
ରବିବାର(ଡିସେମ୍ବର ୨୫) ଏନେଇ ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରେନ୍ ଯୁଦ୍ଧରେ ସାମିଲ ଥିବା ସମସ୍ତ ପକ୍ଷଙ୍କ ସହ ଋଷ ଆଲୋଚନା ପାଇଁ ରାଜି ଥିବା ବେଳେ ୟୁକ୍ରେନ୍ ଓ ତାକୁ ସମର୍ଥନ କରୁଥିବା ପଶ୍ଚିମ ଦେଶଗୁଡ଼ିକ କିନ୍ତୁ ଆଲୋଚନା କରିବା ପ୍ରସ୍ତାବରେ ରାଜି ହେଉ ନାହାନ୍ତି।
ଯୁଦ୍ଧକୁ ନେଇ ସ୍ଥିତି ଏମିତି ରହିଛି ଯେ ଋଷ କହୁଛି ଲକ୍ଷ୍ୟ ହାସଲ ନ କରିବା ଯାଏ ଯୁଦ୍ଧ ବନ୍ଦ ହେବନି। ଏପଟେ ୟୁକ୍ରେନ୍ କହୁଛି ଦେଶର ସୀମାରୁ ସମସ୍ତ ଋଷ ସୈନ୍ୟଙ୍କୁ ବିତାଡ଼ିତ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ଛାଡ଼ିବୁନି। ୨୦୧୪ରେ ୟୁକ୍ରେନ୍ କ୍ରିମିୟାକୁ ଦଖଲ କରିଥିଲା ଋଷ। ୟୁକ୍ରେନ୍ ଏହାକୁ ବି ଋଷ କବଳରୁ ଉଦ୍ଧାର କରିବାକୁ ଚାହୁଁଛି। ଏପରି ସ୍ଥିତିରେ ଯୁଦ୍ଧ କିନ୍ତୁ ଜାରି ରହିଛି।
ପୁଟିନ କହିଛନ୍ତି “ ଏକ ଗ୍ରହଣୀୟ ସମାଧାନ ପାଇଁ ଏଥିରେ ଜଡ଼ିତ ସମସ୍ତଙ୍କ ସହ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ଏହା ସେମାନଙ୍କ ଉପରେ ନିର୍ଭର କରେ। ଆମେ ଆଲୋଚନା ପାଇଁ କେବେ ବି ମନା କରି ନାହୁଁ। ହେଲେ ସେମାନେ ମନା କରିଛନ୍ତି।” ରୋସିୟା-୧ ଟିଭିକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପୁଟିନ।
ହେଲେ ଏପଟେ ଆମେରିକା ଓ ୟୁକ୍ରେନ୍ ଋଷର ଆଲୋଚନା ପ୍ରସ୍ତାବକୁ ମିଥ୍ୟା ବୋଲି କହିଛନ୍ତି। ଋଷ ବାସ୍ତବରେ ଆଲୋଚନା କରିବାକୁ ଚାହୁଁନି ବୋଲି ଉଭୟ ଅଭିଯୋଗ କରିଛନ୍ତି। ଆମେରିକାର କେନ୍ଦ୍ର ଗୁଇନ୍ଦା ସଂସ୍ଥା(ସିଆଇଏ) ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ ନିକଟରେ ଏକ ସାକ୍ଷାତକାର ଦେଇ ଋଷ ଆଲୋଚନା କରିବାକୁ ଚାହୁଁନି ବୋଲି କହିଥିଲେ। ସେହିପରି ଭୋଲୋଡିମିର ଜେଲେନ୍ସ୍କିଙ୍କର ପରାମର୍ଶଦାତା ମଧ୍ୟ ସମାନ କଥା କହିଥିଲେ। ପୁଟିନ ବାସ୍ତବ କଥାକୁ ସ୍ୱୀକାର କରନ୍ତୁ ଯେ ସେ ହିଁ ଆଲୋଚନା କରି ଯୁଦ୍ଧ ରୋକିବାକୁ ଚାହୁଁ ନାହାନ୍ତି।