ପରିବାରର ସମ୍ମତି ବିନା ପ୍ରେମ ବିବାହ ମନା, ପଞ୍ଚାୟତ ନିଷ୍ପତ୍ତିକୁ ନେଇ ତେଜିଲା ରାଜନୀତି

Published By : Prameya-News7 Bureau | August 05, 2025 IST

ଚଣ୍ଡୀଗଡ ୦୫/୦୮: ପଞ୍ଜାବ ମୋହାଲି ମାନକପୁର ସରିଫ୍ ଗ୍ରାମ ପଞ୍ଚାୟତ । ଚଣ୍ଡିଗଡ଼ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗାଁରେ ପାସ୍ ହୋଇଛି ପ୍ରେମ ବିବାହକୁ ନିଷିଦ୍ଧ ପ୍ରସ୍ତାବ । ଜୁଲାଇ ୩୧ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ନିଷ୍ପତ୍ତି । ପ୍ରସ୍ତାବରେ ରହିଛି ପରିବାରର ଅନୁମୋଦନ ବିନା ବିବାହ ମନା । 

ଏମିତିକି ଦମ୍ପତିମାନଙ୍କୁ ଗ୍ରାମ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ବି ନିଷେଧ କରାଯାଇଛି। ଯଦି କେହି ନିୟମ ନମାନିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି। ତେବେ ଏହା କୌଣସି ଦଣ୍ଡ ନୁହେଁ, ବରଂ ଆମର ପରମ୍ପରା ଓ ମୂଲ୍ୟବୋଧର ସୁରକ୍ଷା । ପ୍ରତିରୋଧକ ପଦକ୍ଷେପ ବୋଲି କହିଛନ୍ତି ସରପଞ୍ଚ ଦଲବୀର ସିଂହ ।

ସଂକଳ୍ପ ଜାରି ହେବା ପଛରେ ବି ରହିଛି କାରଣ । ସାମ୍ପ୍ରତିକ ଘଟଣା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଗାଁ ଲୋକେ । ସରପଞ୍ଚଙ୍କ କହିବା କଥା ୨୬ ବର୍ଷୀୟ ଯୁବକ ଦବିନ୍ଦର, ୨୪ ବର୍ଷୀୟ ଭାଣିଜୀ ବେବିଙ୍କୁ କରିଥିଲେ ବିବାହ । ଘଟଣା ପରଠୁ ଗାଁ ଛାଡିସାରିଛନ୍ତି ଦମ୍ପତ୍ତି । ତଥାପି ଘଟଣାର ପ୍ରଭାବ ୨୦୦୦ ଗ୍ରାମବାସୀଙ୍କ ଉପରେ ପଡ଼ିଛି। 

ଯଦିଓ ଆମେ ପ୍ରେମ ବିବାହ ବା ଆଇନ ବିରୋଧରେ ନାହୁଁ । ତଥାପି ଆମ ପଞ୍ଚାୟତରେ ଏସବୁକୁ ଅନୁମତି ଦେଉନାହୁଁ । ସଂକଳ୍ପ ଅନୁଯାୟୀ, ଏପରି ବିବାହକୁ ରୋକିବା ସମଗ୍ର ସମ୍ପ୍ରଦାୟର ଦାୟିତ୍ୱ। ପଞ୍ଚାୟତ ମଧ୍ୟ ପଡ଼ୋଶୀ ଗ୍ରାମଗୁଡ଼ିକୁ ସମାନ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛି। ସ୍ଥାନୀୟ ଯୁବକ ଓ ଗ୍ରାମବାସୀମାନେ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ଜଣାଇଛନ୍ତି ସମର୍ଥନ ।

ଆଉ ପ୍ରସ୍ତାବ ପାସ୍ ପରେ ଆରମ୍ଭ ହୋଇଛି ରାଜନୀତି । ଖାସ୍ କରି ରାଜନେତା ଏବଂ ମାନବାଧିକାର କର୍ମୀ କରିଛନ୍ତି ତୀବ୍ର ସମାଲୋଚନା । ପଟିଆଲାର କଂଗ୍ରେସ ସାଂସଦ ଧରମବୀରା ଗାନ୍ଧୀ ପ୍ରସ୍ତାବକୁ କରିଛନ୍ତି ନିନ୍ଦା । ଯାହାକୁ ସେ ତାଲିବାନୀ ଶାସନର ଆଖ୍ୟା ଦେଇଛନ୍ତି । ତାଙ୍କ କହିବା କଥା ନିଜର ଜୀବନସାଥୀ ବାଛିବାର ସ୍ୱାଧୀନତା ପ୍ରତ୍ୟେକ ବୟସ୍କଙ୍କ ମୌଳିକ ଅଧିକାର। 

ସେହପରି ପଞ୍ଜାବ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ରାଜ ଲାଲି ଗିଲ୍ ଏହି ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ତାଙ୍କ କହିବା କଥା ଏହା ଅସାମ୍ବିଧାନିକ ଏବଂ ଏପରି ପଞ୍ଚାୟତର ନିଷ୍ପତ୍ତିର କୌଣସି ଅର୍ଥ ନାହିଁ। ଆମେ ଏହା ଉପରେ ବିଚାର କରିବୁ। ଆମେ ଏହା ବିରୁଦ୍ଧରେ କୌଣସି ଅଭିଯୋଗ ପାଇନାହୁଁ," ବୋଲି ସେ କହିଛନ୍ତି। 

ଜୁଲାଇ ୩୧ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ପ୍ରସ୍ତାବ । ସେପଟେ ଗାଁରେ ପ୍ରସ୍ତାବ ଗୃହୀତ ହେବା ପରେ, ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିବାଦୀୟ ଦମ୍ପତି । ଉଭୟ କହିଛନ୍ତି ସେମାନେ ନିଜ ଇଚ୍ଛାରେ ବିବାହ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା ବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.