ଆଜି ପ୍ରଧାନମନ୍ତ୍ରୀଙ୍କ 'ଟିକା' ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧:  ଖୁବ୍ ଶୀଘ୍ର ଆସିବ କରୋନା ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟିକା ପ୍ରସ୍ତୁତି । ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ସ୍ଥିତିର ସମୀକ୍ଷା ପାଇଁ ଅହମଦାବାଦ, ପୁନେ ଏବଂ ହାଇଦ୍ରାବାଦ ଗସ୍ତ କରିଥିଲେ । ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନି ଜାଇଡସ୍ କାଡିଲା ଫାର୍ମ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ପୁନେର ସିରମ୍ ଇନ୍ ଷ୍ଟିଚ୍ୟୁଟ୍ ଗସ୍ତ କରି ଟିକା ସ୍ଥିତି ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ଭ୍ୟାକସିନ୍ ବିକାଶରେ ଲାଗିଥିବା ଅନ୍ୟ ୩ ଟି କମ୍ପାନୀ ସହ ଆଲୋଚନା କରିବେ ।

ଭିଡିଓ କନଫରେସିଂରେ ପ୍ରଧାନମନ୍ତ୍ରୀ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡି ଟିମ୍ ସହ ଆଲୋଚନା କରିବେ । ନିଜେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେପଟେ ଭାରତ ସରକାର କୋଭିଡ ଟିକା ବିକାଶ ମିଶନ୍ ପାଇଁ ୯୦୦ କୋଟି ଟଙ୍କାର ତୃତୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ବାୟୋଟେକ୍ନୋଲୋଜି ବିଭାଗକୁ କୋଭିଡ ଟିକା ସମ୍ବନ୍ଧିତ ଗବେଷଣା ଏବଂ ବିକାଶ ପାଇଁ ପ୍ରଦାନ କରାଯିବ। ଯାହା ଫଳରେ ଟିକା ଉତ୍ପାଦନ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁଯାୟୀ ଏହି ଅନୁଦାନ ପ୍ରାୟ ୫ରୁ ୬ଟି ଟିକା ବିକାଶ ପ୍ରକ୍ରିୟାକୁ ଗତିଶୀଳ କରାଇପାରିବ। ମୋଟ ୧୦ଟି କରୋନା ଟିକା ବିକାଶ ପାଇଁ ସହାୟତା ଯୋଗାଇ ଦେଉଛି ସରକାର । ସେଥିମଧ୍ୟରୁ ପାଞ୍ଚଟି ଟିକା ମାନବ ପରୀକ୍ଷଣ ସ୍ତରରେ ଥିବାବେଳେ ରୁଷର ସ୍ପୁଟନିକ-ଭି ଓ ଅନ୍ୟ ଟିକା ଆଡଭାନ୍ସ୍ ଷ୍ଟେଜ୍ ରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.