ମିଳିଳା କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | March 07, 2021 IST

ଆଠଗଡ଼, ୦୭/୦୩: ଗତ ୫ ତାରିଖ ଦିନ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର କାଜୁ ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନାଉକିଆରୀ ଗ୍ରାମର ସ୍ଵର୍ଗତ ଜନକ ଭୋଇଙ୍କ ଝିଅ ମାନିନୀ ଭୋଇ (୩୦) ।

ମାନିନୀ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ନଣ୍ଡାଇଲୋ ଗ୍ରାମରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ । ସେ ସେହି ଗ୍ରାମର ଅର୍ଥାତ  ନାଉକିଆରୀ ଗାଁର ଅନୀଲ ଭୋଇଙ୍କୁ ବିବାହ କରିଥିଲେ । ହେଲେ ଅନୀଲ ସବୁ ଦିନ ମଦପିଇ ଆସି ମାନିନୀକୁ ନିର୍ଯ୍ୟାତନା ଦେବା ସହିତ ଖାଇବା ପିଇବାକୁ ଦେବାରେ ଅସୁବିଧା କରୁଥିଲା । ତେଣୁ ମାନିନୀ ନିଜେ କିଛି ରୋଜଗାର କରିବା ଆଶାରେ ଆସି ଏହି କାଜୁ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲା ।

ତେବେ କାଜୁ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତ ଦେହ ମିଳିବା ପରେ ତାକୁ ଚିହ୍ନଟ କରିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଫଟୋ ଦେଖି ପରିବାର ଲୋକେ ମାନିନୀକୁ ଚିହ୍ନଟ କରିବା ସହିତ ଆଜି ଆଠଗଡ଼ ଥାନାରେ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ମାନିନୀଙ୍କ ମା ସୁକୁମାରୀ ଭୋଇ କାଜୁ ଫ୍ୟାକ୍ଟ୍ରିରେ ମ୍ୟାନେଜର ଭାବରେ କାମ କରୁଥିବା ବାଙ୍କୀ ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମର ରଘୁ ପୃଷ୍ଟି ଏବଂ ସେଠାରେ କାମ କରୁଥିବା ମଣ୍ଟୁ, ବଗୁଲି ନାମକ ବ୍ୟକ୍ତି ମାନେ ମୋ ଝିଅକୁ ମାରି କାଜୁ ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ଏହି ଘଟଣାରେ ଆଗରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ଏବେ ଏକ ହତ୍ୟା ମାମଲା (୪୮/୨୧) ଧାରା ୩୦୨, ୩୪, ୩ ଏସ୍ ସି, ଏସ୍ ଟି ଆକ୍ଟ ରୁଜୁ କରିବା ସହିତ ମାମଲାରେ ସଂପୃକ୍ତ ଥିବା ରଘୁ ପୃଷ୍ଟି ଏବଂ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.