ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍‌ ମୋଦୀ, ବିମାନବନ୍ଦରରୁ ଜନତା ମଇଦାନ ବିଶାଳ ରୋଡ୍ ସୋ’

Published By : Prameya-News7 Bureau | June 20, 2025 IST

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଅପରାହ୍ନ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ଜନତା ମଇଦାତରେ ଆୟୋଜିତ ମେଗା ସୋ ଅଭିମୁଖ୍ୟ ବାହାରିଛନ୍ତି। ଏହି ସମୟରେ ପିଏମ ବିଶାଳ ରୋଡ ସୋ କରିବେ । ଏହା ପରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୧୯ ହଜାର କୋଟିର ପ୍ରକଳ୍ପ ଭେଟିଦେବ।

ବିମାନବନ୍ଦରରୁ ଜନତା ମଇଦାନ ଭିତରେ ୨୮ଟି ଜାଗାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରଠାରୁ ଜନତା ମଇଦା ଯାଏ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ଅଧିକାରୀଙ୍କ ନିୟୋଜିତ କରାଯାଇଛି। ଜନତା ମଇଦାନରେ ଆୟୋଜିତ ମେଗା ସୋ’ରେ ପ୍ରଧାନମନ୍ତ୍ରୀ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ୬୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୫ ପ୍ରକଳ୍ପର ହେବ ଲୋକାର୍ପଣ । ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ହେଉଛି ୧୮ ହଜାର ୭୦୦ କୋଟି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରସ୍ତୁତ ‘ଭିଜନ ଡକ୍ୟୁମେଣ୍ଟ’ ପୁସ୍ତକ ଉନ୍ମୋଚନ କରିବେ । ଏହାସହ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ସହ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିବେ । ୧୦୦ ଇ-ବସ୍‌ର ଶୁଭାରମ୍ଭ, ବୌଦ୍ଧକୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । 

ଆହୁରି ମଧ୍ୟ ‘ବରପୁତ୍ର ସମ୍ମାନ’ ଯୋଜନାର ଶୁଭାରମ୍ଭ, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପୁସ୍ତିକା ପୁସ୍ତିକା ମଧ୍ୟ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବ । ଓଡ଼ିଶା ବର୍ଷକ ମଧ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିବେ । ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନରେ ଡବଲ ଇଞ୍ଜିନ ସରକାରର ରିପୋର୍ଟ କାର୍ଡ ମଧ୍ୟ ମୋଦି ରଖିପାରନ୍ତି । 

ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ ଯୋଗ ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.