ଭାରତକୁ ଫେରିବ PhonePe, ଦେବାକୁ ହେବ ୧ ବିଲିୟନ ଡଲାର ଟ୍ୟାକ୍ସ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଳୀ, ୦୪/୦୧: ଡିଜିଟାଲ ପେମେଣ୍ଟ୍ ଆପ୍ ଫୋନ୍‌ପେ ସ୍ବଦେଶ ଫେରିବାକୁ ଯାଉଛି। ପ୍ରକୃତରେ ଫୋନ୍‌ପେ ନିଜର ସିଙ୍ଗାପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଭାରତ ସ୍ଥାନାନ୍ତରିତ କରିବାକୁ ଯାଉଛି । ଗତ ଡି​‌ସେମ୍ବରରେ ଫ୍ଲିପ୍‌କାର୍ଟ ଠାରୁ ଅଲଗା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଫୋନପେର ଭାରତକୁ ସ୍ଥାନାନ୍ତରିତ ପାଇଁ ଏହାର ମାଲିକାନା କମ୍ପାନୀ ଓ୍ବାଲମାର୍ଟ ଆଇଏନସିକୁ ୧ ବିଲିୟନ ଡଲାର ବା ପ୍ରାୟ ୮୨୦୦ କୋଟି ଟଙ୍କା ଟ୍ୟାକ୍ସ ପୈଠ କରିବାକୁ ହେବ।

ରିପୋର୍ଟ ଅନୁଯାୟୀ, ଟାଇଗର ଗ୍ଲୋବାଲ ମ୍ୟାନେଜମେଣ୍ଟ ସମେତ ଅନେକ ନିବେଶକ ଭାରତରେ ନୂଆ ଦାମ୍‌ରେ ଫୋନପେର ଶେୟାର କିଣିଛନ୍ତି। ଯାହାଫଳରେ ବର୍ତ୍ତମାନରେ ଥିବା ଶେୟାରହେଲ୍ଡଙ୍କ ପାଇଁ ପ୍ରାୟ ୮୨୦୦ କୋଟି ଟଙ୍କାର ଟ୍ୟାକ୍ସ ହେଉଛି।

ସୂଚନାଥାଉ, ଯେ ପୂର୍ବରୁ ଫୋନପେର ମାଲିକାନା ଫ୍ଲିପ୍‌କାର୍ଟ ନିକଟରେ ରହିଥିଲା। ତେବେ ଗତ ମାସ ଫୋନ୍‌ପେ ଫ୍ଲିପକାର୍ଟଠାରୁ ଅଲଗା ହେବା ପ୍ରକ୍ରିୟା ଶେଷ ହୋଇଥିଲା। ଅବଶ୍ୟ ଉଭୟ କମ୍ପାନୀ ଓ୍ବାଲମାର୍ଟ ଅଧୀନରେ ରହିବେ। ଫୋନ୍‌ପେ ଏହାର ମୁଖ୍ୟ କାର୍ଯ୍ୟାଳୟକୁ ଫ୍ଲିପକାର୍ଟ ଭଳି ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହେବ।

ଆଗାମୀ ସମୟରେ ଫୋନ୍‌ପେ  ଭାରତର ଷ୍ଟକ୍ ମାର୍କେଟ୍‌ରେ ପ୍ରବେଶ କରିବା ନେଇ ଅନୁମାନ କରାଯାଉଛି। ଅବଶ୍ୟ ଏନେଇ କମ୍ପାନୀ ଏପ୍ରସଙ୍ଗରେ କୌଣସି ସୂଚନା ଦେଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.