ନାଗ ସାପ ସହ ଲଢି ଜୀବନ ହାରିଲେ ବ୍ଲାକି ଓ ସୁଇଟି, ତଥାପି ମାଲିକଙ୍କ ପରିବାରକୁ ବଞ୍ଚାଇଦେଲେ

Published By : Prameya-News7 Bureau | August 29, 2020 IST

ଭୁବନେଶ୍ବର ୨୯।୮: କୁକୁରଠାରୁ ବିଶ୍ବସ୍ତ ଜୀବ ନାହାନ୍ତି । ଏହାର ଅନେକ ଉଦାହରଣ ରହିଛି । ମାଲିକ ପାଇଁ କୁକୁର ପ୍ରାଣ ଦେବାର ନଜିର ରହିଛି । ଏମିତି ଏକ ଘଟଣା ଘଟିଛି ରାଜଧାନୀରେ । ମାଲିକଙ୍କ ପରିବାରକୁ ବଞ୍ଚାଇବାକୁ ଯାଇ ଦୁଇଟି ସୁନ୍ଦୁରିଆ ପୋଷା କୁକୁର ନାଗ ସାପ ଚୋଟରେ ପ୍ରାଣ ହରାଇଛନ୍ତି । ତେବେ ନିଜ ଜୀବନ ବଦଳରେ ମାଲିକଙ୍କ ଜୀବନ ବଞ୍ଚାଇଛନ୍ତି । ଘର ଭିତରେ ପଶିବାକୁ ଯାଉଥିବା ଏକ ନାଗସାପ ସହ ଲଢ଼ି ଉଭୟେ ପ୍ରାଣ ହାରାଇଥିଲେ ବି ସାପଟିକୁ ଘର ଏରୁଣ୍ଡି ବନ୍ଧ ଡେଇଁବାକୁ ଦେଇନାହାନ୍ତି । ଚନ୍ଦ୍ରଶେଖରପୁର କାନନବିହାର ଅଞ୍ଚଳରେ ଗତ ୧୬ ତାରିଖ ରାତିରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କାନନବିହାର ଫେଜ୍‌ ୨, ପ୍ଲଟ୍‌ ନମ୍ବର ୫୬୦/୫୬୧-ଜେ ରେ ରହୁଥିବା ଡାକ୍ତର ଆର୍ଯ୍ୟକାନ୍ତ ମାଝି, ସାନ ଭାଇ ବିଭୁଦତ୍ତ ଓ ତାଙ୍କ ପରିବାର । ସେମାନଙ୍କ ଘରେ ଥିଲେ ଦୁଇଟି ଲାବ୍ରାଡର ବ୍ରିଡ୍‌ର ପୋଷା କୁକୁର । ସେମାନଙ୍କ ନାଁ ‘ବ୍ଲାକି’ ଓ ‘ସୁଇଟି’ । ବ୍ଲାକି ଅଣ୍ଡିରା ଓ ସୁଇଟି ମାଈ । ଗତ ୧୬ ତାରିଖରେ ୨ କୁକୁରଙ୍କ ଅଚାନକ ମୃତ୍ୟୁ ହୋଇଥିଲା । ପରେ ସିସିଟିଭିରୁ ଆସିଥିବା ତଥ୍ୟ କେବଳ ପରିବାରଲୋକ ନୁହେଁ ତାହା ଜାଣିଥିବା ଦେଖିଥିବା ଲୋକଙ୍କୁ ଯେତିକି ବିସ୍ମିତ କରିଛି ପୋଷା ଜୀବ ଜୀବନ ଦେଇ ଋଣ ସୁଝିଥିବା ଚର୍ଚ୍ଚାକୁ ସେମିତି ଖୋରାକ ଦେଇଛି ।  

ସିସିଟିଭି କ୍ୟାମେରାରେ ‘ବ୍ଲାକି’ ଆଉ ‘ସୁଇଟି’ଙ୍କ ବୀରତ୍ବର କାହାଣୀ । ଘଟଣା ଦିନ ରାତି ସାଢ଼େ ୮ଟା ବେଳେ ଘର ବଗିଚାରୁ ଏକ ନାଗସାପ ରୁମ୍‌କୁ ପଶିବାକୁ ଚେଷ୍ଟା କରୁଛି । ଏହା ୨ କୁକୁର ଦେଖି ପାରିଥିଲେ । ସେମାନେ ବନ୍ଦ ଘର କବାଟର ଲୁହା ଶିକୁଳି ଛିଡାଇ ବଗିଚାକୁ ଆସି ନାଗ ସାପ ଉପରକୁ ସିଧା ଲମ୍ଫ ମାରିଲେ । ଉଭୟେ ସାପ ସହ ଖୁବ୍‌ ଲଢ଼ିଲେ । ଅନ୍ଧାର ଯୋଗୁ ସ୍ପଷ୍ଟ ଦେଖି ହେଉନଥିଲେ ବି ଜଣାଗଲା ଯେ ପ୍ରଥମେ ସାପଟି ସୁଇଟିକୁ ଚୋଟ ମାରିଛି । କିନ୍ତୁ ସୁଇଟି ବି ସାପକୁ ଭିଣି ପକାଇଛି। ପରେ ବ୍ଲାକି ମଧ୍ୟ ସୁଇଟି ସହ ମିଶି ସାପକୁ ଆକ୍ରମଣ କରିଛି । ସେ ବି ସାପର ଚୋଟ ଖାଇଛି । ସାପଟି ଭୟରେ ପଳାଇଲା ପରେ ସୁଇଟି କୁକୁର ଦୁଇଙ୍କ ଲାଗି ଉଦ୍ଦିଷ୍ଟ ଛୋଟ ଘରକୁ ପଶି ଆସି ସେହିଠାରେ ଟଳିପଡ଼ିଛି ଆଉ ବ୍ଲାକି ବଗିଚାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସିସିଟିଭିରୁ ସତ ଜାଣିବା ପରେ ମାଝି ପରିବାର ଆହୁରି ଭାଙ୍ଗି ପଡ଼ିଛନ୍ତି । ଗେହ୍ଲାରେ ବଢ଼ାଇଥିବା ପୋଷା କୁକୁରକୁ ଝୁରୁଛନ୍ତି । ସେପଟେ ସ୍ନେକ ହେଲ୍‌ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ଦାସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସାପଟି ପ୍ରାୟ ୫-୬ ଫୁଟ ଲମ୍ବ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.