ଏଣିକି ଅନଲାଇନ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରିବେ ଅଭିଯୋଗ, ଜାଣନ୍ତୁ ପୂରା ପ୍ରକ୍ରିୟା

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ ୫/୦୭: କୌଣସି ସରକାରୀ ବିଭାଗର କାର୍ଯ୍ୟରେ ଆପଣ ଖୁସୀ ନାହାନ୍ତି କି ? କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଆପଣଙ୍କ ପାଖରେ ପହଞ୍ଚିପାରୁ ନାହିଁ କି ? ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାର ନାହିଁ। ଏବେ ନିଜର ସମସ୍ତ ଅଭିଯୋଗ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇପାରିବେ। କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ନିଜର ଅଭିଯୋଗକୁ ନେଇ ସବିଶେଷ ବିବରଣୀ ଦେଇପାରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିନା ବାଧାରେ ଆପଣଙ୍କ ଅଭିଯୋଗ ପହଞ୍ଚିପାରିବ।

କୌଣସି ସରକାରୀ ଅଧିକାରୀ କିମ୍ବା ବିଭାଗର କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ ଘରେ ବସି ଅନଲାଇନ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇପାରିବେ। ଏହା ପ​‌ରେ ପିଏମଓ ପକ୍ଷରୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇବା ପାଇଁ ପ୍ରଥମେ ଆପଣଙ୍କୁ ଓ୍ବେବସାଇଟ୍‌ http://www.pmindia.gov.in/hi କ ଯିବାକୁ ହେବ।

‘ପ୍ରଧାନମନ୍ତ୍ରୀଙ୍କୁ ଲେଖନ୍ତୁ’ ଉପରେ କ୍ଲିକ୍‌ କରିବେ। ତାପରେ CPGRAMS ପେଜ୍‌ ଖୋଲିବ। ନିଜର ସମସ୍ତ ଅଭିଯୋଗ ଏଠାରେ ଉଲ୍ଲେଖ କରିପାରିବେ। ଏହା ପରେ ଆପଣଙ୍କୁ ଏକ ପଞ୍ଜିକରଣ ସଂଖ୍ୟା ମିଳିବ। ଅଭିଯୋଗ ପଠାଇବା ପ​‌ରେ ନାଗରିକଙ୍କ ସମ୍ପର୍କରେ ଲେଖିବାକୁ ପଡ଼ିବ। ମଗାଯାଇଥିବା ତଥ୍ୟ ଭରିବା ପରେ ଆପଣ ନିଜର ଅଭିଯୋଗ ସେଣ୍ଡ କରିପାରିବେ।

ଅନ୍ୟପଟେ ଆପଣ ଡାକ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ଅଭିଯୋଗ ପଠାଇପାରିବେ । ପିଏମଓ ଠିକଣା- ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ସାଉଥ୍‌ ବ୍ଲକ୍‌, ନୂଆଦିଲ୍ଲୀ, ପିନ୍‌- ୧୧୦୦୧୧ । ଏହା ସହ ଫ୍ୟାକ୍ସ ନମ୍ବର- ୦୧୧-୨୩୦୧୬୮୫୭ ଜରିଆରେ ଲୋକମାନେ ନିଜର ଅଭିଯୋଗ ପଠାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.