ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ, ଚୋର ଭାବି ପୋଲିସକୁ ନିର୍ଧୁମ୍ ପିଟିଲେ ଲୋକେ

Published By : Prameya-News7 Bureau | July 11, 2025 IST

ବାଲିଗୁଡା ୧୧।୭: ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ । ଚୋର ଭାବି ପୋଲିସକୁ ନିର୍ଧୁମ୍ ପିଟିଲେ ଲୋକେ । କିଏ କଲର ଝିଙ୍କି ପିଟିଲା ତ କିଏ ବିଧା ଗୋଇଠା ମାରିଲା । ୨ ଜଣ ପୋଲିସ ଅଧିକାରୀ ଏବଂ ଡ୍ରାଇଭରଙ୍କୁ ଘେରି ଯାଇଥିଲେ ଶତଧିକ ଲୋକ। ଏ ଦୃଶ୍ୟ ଥିଲା କନ୍ଧମାଳ ଜିଲ୍ଲା କୁତ୍ତମଗଡ଼ ଟୋଲଗେଟ ନିକଟର। ଜଣେ ଅଭିଯୁକ୍ତକୁ ଧରିବାକୁ ଆସି ହଟହଟା ହୋଇଛି କଳାହାଣ୍ଡି ପୋଲିସ। କଳାହାଣ୍ଡି ପୋଲିସର ଦୁଇ ଅଧିକାରୀ ଏବଂ ଜଣେ ଡ୍ରାଇଭରଙ୍କୁ ଅପହରଣକାରୀ ସନ୍ଦେହରେ ଧୁମ୍ ପିଟିଛନ୍ତି ଲୋକେ।  

ସୂଚନାଯୋଗ୍ୟ ଯେ, ବାଲିଗୁଡ଼ା ଥାନା ଡୁଙ୍ଗେରୀ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆସିଥିଲା କଳାହାଣ୍ଡି ପୋଲିସ। ବ୍ୟକ୍ତି ଜଣଙ୍କ ଗଂଜେଇ ବେପାର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ପୋଲିସ ତାଙ୍କୁ ଧରିବା ଆଗରୁ ସିଏ କିନ୍ତୁ ଚମ୍ପଟ ମାରିଥିଲେ। ଆଉ ଲୋକଙ୍କୁ କହିଥିଲେ କଳାହାଣ୍ଡିର କିଛି ଲୋକ ତାଙ୍କୁ ଅପହରଣ କରିବାକୁ ଆସିଥିଲେ। ସେମାନଙ୍କ କବଳରୁ ସେ ଖସି ଆସିଛନ୍ତି। ଏକଥା ଶୁଣି ଲୋକଙ୍କ ରାଗ ପଞ୍ଚମକୁ ଚଢି ଯାଇଥିଲା। କେହି କିଛି ନ ବୁଝି କୃତ୍ତମଗଡ ଟୋଲ ଗେଟ ନିକଟରେ ପୋଲିସ ଅଧିକାରୀ ଯାଉଥିବା କାରକୁ ଅଟକାଇଥିଲେ। ସାଧା ପୋଷାକରେ ଥିବାରୁ ସେମାନଙ୍କ କୌଣସି କଥା ଶୁଣିନଥିଲେ। ଦୁଇ ଜଣ ପୋଲିସ ଅଧିକାରୀ ଜୀବନ ବିକଳରେ କାର୍‌ ରୁ ଓହ୍ଲାଇ ଦୌଡୁଥିବା ବେଳେ ଲୋକେ ସନ୍ଦେହ କରି ସେମାନଙ୍କୁ ଧରି ମାଡ଼ ମାରିଥିଲେ। ଜଣେ ପୋଲିସ ଅଧିକାରୀ ନିଜ ବନ୍ଧୁକ କାଢି ଭୟଭିତ କରିବା ପରେ ଲୋକେ ତୁମୁଡ଼ିବନ୍ଧ ପୋଲିସକୁ ଜଣାଇଥିଲେ। ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ସାଧା ପୋଷାକରେ ଥିବା ଅଧିକାରୀକୁ ଲୋକଙ୍କ କବଳରୁ ମୁକୁଳେଇ ଥାନାକୁ ଆଣିଥିଲେ।ଏନେଇ ତୁମୁଡିବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଫୁଟେଜ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ବାଲିଗୁଡ଼ା SDPO କହିଛନ୍ତି ।  


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.