ହରିୟାଣାରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ, ଗୋଟିଏ ମଞ୍ଚରେ ଏକାଠି ହେଲେ ଶରଦ, ନୀତୀଶ-ତେଜସ୍ୱୀଙ୍କ ବହୁ ବଡ଼ ନେତା

Published By : Prameya-News7 Bureau | September 25, 2022 IST

ଚଣ୍ଡିଗଡ: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକଜୁଟ ଥିବା ଦର୍ଶାଇବାକୁ ଚାହୁଁଛନ୍ତି । ଏହି କ୍ରମରେ ହରିୟାଣାର ଫତେହାବାଦରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀଲାଲାଙ୍କ ଜୟନ୍ତୀ ଅବସରରେ ରାଲିର ଆୟୋଜନ କରିଥିଲେ । ଏହି ରାଲିରେ ବିରୋଧୀ ଦଳର ବହୁ ବଡ଼ ଚେହେରା ସାମିଲ ହୋଇଥିଲେ । ଏନସିପି ନେତା ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରମୁଖ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

ଏହି ଅବସରରେ ତେଜସ୍ୱୀ ଯାଦବ ଇଣ୍ଡିଆନ ନ୍ୟାସନାଲ ଲୋକଦଳକୁ କହିଥିଲେ, ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଶିବସେନା, ଅକାଳୀ ଦଳ ଏବଂ ଜେଡିୟୁ ପରି ସହଯୋଗୀ ଦଳ ବିଜେପିଠୁ ଅଲଗା ହୋଇଛନ୍ତି । ନୀତୀଶ କୁମାର କହିଥିଲେ, 'ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହେଁ । ତୃତୀୟ ସାମୁଖ୍ୟର ପ୍ରଶ୍ନ ଉଠୁନାହିଁ, ବିଜେପିକୁ ହରାଇବା ପାଇଁ କଂଗ୍ରେସକୁ ସାଥିରେ ନେଇ ଗୋଟିଏ ମେଣ୍ଟ ହେବା ଦରକାର '। ଏହାସହ ନୀତୀଶ କହିଛନ୍ତି, 'ମୁଁ କଂଗ୍ରେସ ସହ ଅନ୍ୟ ସବୁ ଦଳକୁ ଏକ ହେବା ପାଇଁ ଅପିଲ କରୁଛ, ଫଳରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଶୋଚନୀୟ ଭାବେ ହରାଇ ପାରିବୁ । ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ କୌଣସି ଲଢେଇ ନାହିଁ, ସେମାନେ (ବିଜେପି) ଅଶାନ୍ତି ସୃଷ୍ଟି କରିବାକୁ ଚାହିଁଛନ୍ତି'।

ଅନ୍ୟପଟେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି, କୃଷକ ଦିଲ୍ଲୀର ସୀମାରେ ଧାରଣା ଦେଲେ, କିନ୍ତୁ ସରକାର ଦୀର୍ଘ ଦିନ ଯାଏଁ ତାଙ୍କ ଦାବି ଶୁଣିଲେ ନାହିଁ। କୃଷକ ନେତାଙ୍କ ବିରୋଧରେ ରୁଜୁ ମାମଲା ଫେରାଇ ନିଆଯିବ ବୋଲି ସରକାର ଘୋଷଣା କରିଥିଲେ, କିନ୍ତୁ ଏପରି କରାଗଲା ନାହିଁ । ୨୦୨୪ରେ କ୍ଷମତା ପରିବର୍ତ୍ତନ ସୁନିଶ୍ଚିତ କରିବା ଦିଗରେ ସମସ୍ତେ କାମ କରିବାର ସମୟ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.