ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟମନ୍ତ୍ରୀ କହିଲେ- ଆବଶ୍ୟକ ପଡିଲେ SIT ତଦନ୍ତ କରାଯିବ, ତଥାପି ବିଧାନସଭା ଭିତରେ-ବାହାରେ ଥମୁନି ବିରୋଧୀଙ୍କ ଗର୍ଜନ

Published By : Prameya-News7 Bureau | November 27, 2020 IST

ଭୁବନେଶ୍ଵର ୨୭।୧୧:   ଆବଶ୍ୟକ ପଡିଲେ ପରୀ ହତ୍ୟାକାଣ୍ଡ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦିଆଯିବ ।  ଆଜି ବିଧାନସଭାରେ ଏଭଳି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ପରୀ ପ୍ରସଙ୍ଗକୁ ନେଇ ବିରୋଧୀ ବାରମ୍ବାର ହଟ୍ଟଗୋଳ କରୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହକାର୍ଯ୍ୟରେ ଭାଗ ନେବା ପାଇଁ ବିରୋଧୀଙ୍କୁ ଅପିଲ କରିଛନ୍ତି। ନବୀନ କହିଛନ୍ତି ରାଜ୍ୟ ସରକାର ଏପ୍ରସଙ୍ଗରେ ମୁକ୍ତ , ଅବାଧ ତଦନ୍ତ ପାଇଁ ପ୍ରତିଶୃତିବଦ୍ଧ । ସବୁବେଳେ କିଭଳି ଲୋକ ନ୍ୟାୟ ପାଇବେ ସେନେଇ ସରକାର ଯତ୍ନଶୀଳ ଅଛନ୍ତି। ତେଣୁ ବିରୋଧି ସଦସ୍ୟ ମାନେ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ସେପଟେ  ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ପରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ନାରାବାଜି ଓ ହଟ୍ଟଗୋଳ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଫଳରେ ଗୃହକୁ ବାରମ୍ବାର ମୁଲତବୀ  କରିବାକୁ ପଡିଥିଲା । ବିଜେପିର ଯିଦ୍, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେ ଯାଏଁ ଦଳ ଏହି ପ୍ରସଙ୍ଗରେ ଅଡ଼ି ରହିବ । କଂଗ୍ରେସର ଦାବୀ ଏସଆଇଟି ତଦନ୍ତ ହେଉ । ବିଜେଡି କହିଛି ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ।

ତେବେ ପରୀ ପ୍ରସଙ୍ଗରେ କେବଳ ବିଧାନସଭା ନୁହେଁ ରାଜରାସ୍ତାରେ ବି ଗର୍ଜିଛନ୍ତି ବିରୋଧି । ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ସାରା ରାଜ୍ୟରେ ପ୍ରତିବାଦ କରିଛନ୍ତି । ଭୁବନେଶ୍ବରରେ ବିଜେପିର ମହିଳା ଓ ଯୁବ ସଂଗଠନ ବିଧାନସଭା ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଯୁବ ଓ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପରୀ ପ୍ରସଙ୍ଗରେ ରାଲି ବାହାରିଥିଲା ।  ଏ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଛନ୍ଦି ହୋଇଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଦୁଇ ଦଳ ।

ସେପଟେ ପରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ । ଖୋଦ୍ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓା ନୟାଗଡରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଜେଠଓାଙ୍କ ନେତୃତ୍ବରେ ଏକ ୭ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳେ ନୟାଗଡ ଏସପିଙ୍କ ସହ ଆଲୋଚନା କରି ପରିର ଗଳିତ ଶବ ମିଳିଥିବା ସ୍ଥାନକୁ ଗସ୍ତ କରିଛନ୍ତି । ଏହାସହ ପରୀର ପରିବାର ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଖୁବ୍ ଶିଘ୍ର ଏହି ଘଟଣାର ପରଦା ଉଠିବ ବୋଲି କହିଛନ୍ତି ଏଡିଜି, କ୍ରାଇମବ୍ରାଞ୍ଚ । ଏ ଦିଗରେ ଗ୍ରାମବାସୀ କ୍ରାଇମବ୍ରାଞ୍ଚ ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ହତ୍ୟାର ୪ ମାସ ପରେ ପୋଲିସ ପରୀରର ହତ୍ୟାକାରୀକୁ ହାତ ମାରିପାରୁନାହିଁ। ନ୍ୟାୟ ପାଇଁ ପରୀର ବାପା ମା ଗତ ୨୪ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଚି ଦରକାର ପଡ଼ିଲେ ଏସଆଇଟି ବି ତଦନ୍ତ କରିବ କିନ୍ତୁ କେତେ ଶୀଘ୍ର ହତ୍ୟାକାରୀ  ଧରା ପଡୁଛନ୍ତି ତା ଉପରେ ସାରା ଓଡ଼ିଶା ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.