ICUରୁ ବାହାରିଲେ ଋଷଭ ପନ୍ତ, ସୁଧୁରୁଛି ସ୍ୱାସ୍ଥ୍ୟାବସ୍ଥା

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ ୦୩।୦୧ : ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି । ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସ୍ୱତନ୍ତ୍ର କ୍ୟାବିନ୍‌ରେ ରଖାଯାଇଛି । ଖୁବ୍‌ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଘରକୁ ଯିବାକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ମାତ୍ର ଦୁର୍ଘଟଣାରେ ଆଘାତ ପାଇଥିବା ଗୋଡର ଅସଲ ସମସ୍ୟା ସ୍ପଷ୍ଟ ହୋଇନାହିଁ । ଆଘାତ ସ୍ଥାନ ଗୁଡ଼ିକରେ ଯନ୍ତ୍ରଣା ଓ ଫୁଲା ରହିଥିବାରୁ ଏମ୍‌ଆରଆଇ ସ୍କାନ ହୋଇପାରି ନାହିଁ । ଆଗାମୀ ୨/୩ ଦିନ ମଧ୍ୟରେ ଫୁଲା କମିଲେ ଗୋଡର ଏମ୍‌ଆରଆଇ କରାଯିବ ।

ଦୁର୍ଘଟଣା ସମୟରେ ପନ୍ତଙ୍କ ଆଣ୍ଠୁ, ପାଦ, ପାଦ ଗଣ୍ଠି, ଆଙ୍ଗୁଳିରେ ଆଘାତ ଲାଗିଥିଲା । ଆଣ୍ଠୁର ୨ଟି ସ୍ଥାନରେ ଲିଗାମେଣ୍ଟ ଜନିତ ସମସ୍ୟା ରହିଥିବା ପ୍ରାଥମିକ ଚିକିତ୍ସାରୁ ଆଶଙ୍କା କରାଯାଉଛି । ଆଣ୍ଠୁର ଫୁଲା କମିନାହିଁ । ତେଣୁ ଏମ୍‌ଆରଆଇ ହୋଇପାରି ନାହିଁ । ଏମ୍‌ଆରଆଇ ରିପୋର୍ଟ ମିଳିବା ପରେ ଆଘାତ ସ୍ଥାନର ଅସ୍ତ୍ରୋପଚାର ହେବ କି ନାହିଁ ସ୍ପଷ୍ଟ ଚିତ୍ର ମିଳି ପାରିବ । ଆଇସିୟୁରୁ ବାହାରିବା ପରେ ମଧ୍ୟ ପନ୍ତ ଏପର୍ଯ୍ୟନ୍ତ ଚଟାଣରେ ଗୋଡ ଲଗାଇ ନାହାନ୍ତି । ତେଣୁ ଯନ୍ତ୍ରଣାର ଗଭୀରତା ସ୍ପଷ୍ଟ ହୋଇନାହିଁ । ମାତ୍ର ଖୁବ୍‌ ଶୀଘ୍ର ସେ ଚାଲିବା ଆରମ୍ଭ କରିବେ ବୋଲି ବିସିସିଆଇ ଆଶା ବ୍ୟକ୍ତ କରିଛି । ପନ୍ତଙ୍କ ଚିକିତ୍ସାର ଅନୁଧ୍ୟାନ କରିବା ପାଇଁ ବିସିସିଆଇ ଏକ ଡାକ୍ତରୀ ଦଳ ଗଠନ କରିଛି । ଏହି ଡାକ୍ତରୀ ଦଳ ପନ୍ତ ଚିକିତ୍ସା ହେଉଥିବା ମାକ୍ସ ହସ୍ପିଟାଲ୍‌ର ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୩୦ ତାରିଖ ଭୋର ସମୟରେ ପନ୍ତ କାର ଚଳାଇ ଦିଲ୍ଲୀରୁ ଉତ୍ତରାଖଣ୍ଡର ରୁର୍‌କୀ ସ୍ଥିତ ଘରକୁ ଯାଉଥିଲେ । ରାସ୍ତାରେ ଖାଲ ଥିବାରୁ ପନ୍ତଙ୍କ କାର୍‌ ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ଧକ୍କା ଖାଇଥିଲା । ଘଯଣାସ୍ଥଳରେ କାର୍‌ରେ ନିଆଁ ଲାଗି ଯାଇଥିଲା । ଆଘାତ ସତ୍ତେ୍ୱ ପନ୍ତ ସାହସିକ ଭାବେ କାର୍‌ ଝରକା ଭାଙ୍ଗି ବାହାରକୁ ବାହାରିବାକୁ ଚେଷ୍ଠା କରିଥିଲେ । ତାଙ୍କୁ ଏକ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଗାଡିରୁ ବାହାର କରିବାରେ ସହାୟତା କରିଥିଲେ । ରୁର୍‌କୀ ସ୍ଥିତ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନ ସ୍ଥିତ ମାକ୍ସ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.