ନୂଆଦିଲ୍ଲୀ: ଭାରତରେ ୨୦୨୧ ପରଠୁ ଆଜି ଯାଏ ଯେତେ ବାଘଙ୍କ ମୃତ୍ୟୁ ହୋଇଛି, ସେଥିରୁ ଅଧାରୁ ଅଧିକ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ହୋଇଛି । ମହାରାଷ୍ଟ୍ରରେ ସବୁଠୁ ଅଧିକ ବାଘ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶ ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଅନୁସାରେ, ୨୦୨୧ରୁ ୨୦୨୫ ସୁଦ୍ଧା ୬୬୭ ବାଘଙ୍କ ମୃତ୍ୟୁ ହୋଇଛି । ଏଥିରୁ ୩୪୧ ଅର୍ଥାତ୍ ୫୧ ପ୍ରତିଶତ ମୃତ୍ୟୁ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ହୋଇଛି । ବାର୍ଷିକ ହିସାବରେ ୨୦୨୧ରେ ୧୨୯, ୨୦୨୨ରେ ୧୨୨, ୨୦୨୩ରେ ୧୮୨, ୨୦୨୪ରେ ୧୨୬ ଓ ୨୦୨୫ରେ ଏବେ ସୁଦ୍ଧା ୧୦୮ ବାଘଙ୍କ ମୃତ୍ୟୁ ହୋଇଛି । ଏଥିରୁ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ୨୦୨୧ରେ ୬୪, ୨୦୨୨ରେ ୫୨, ୨୦୨୩ରେ ୧୦୦, ୨୦୨୪ରେ ୬୫ ଓ ୨୦୨୫ରେ ଏବେ ସୁଦ୍ଧା ୬୦ ବାଘଙ୍କ ମୃତ୍ୟୁ ରେକର୍ଡ ହୋଇଛି ।
ଏନଟିସିଏର ଡାଟା ଅନୁସାରେ ୨୦୧୨ରୁ ୨୦୨୪ ମଧ୍ୟରେ ମୋଟ ୧୫୧୯ ବାଘଙ୍କ ମୃତ୍ୟୁ ହୋଇଛି । ଏଥିରୁ ୬୩୪ ଅର୍ଥାତ୍ ୪୨ ପ୍ରତିଶତ ମୃତ୍ୟୁ ଟାଇଗର୍ ରିଜର୍ଭ ବାହାରେ ହୋଇଛି । ଏହି ଅବିଧିରେ ଭାରତରେ ଆନୁମାନିକ ୩୬୮୨ ବାଘ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ଅଛନ୍ତି । ଏହି ଅଞ୍ଚଳଗୁଡ଼ିକରେ ମଣିଷ ଓ ବାଘଙ୍କ ମଧ୍ୟରେ ସଂଘର୍ଷ କମ କରିବା ପାଇଁ ସରକାର ଟାଇଗର୍ସ ଆଉଟ୍ସାଇଡ୍ ଟାଇଗର ରିଜର୍ଭ (ଟିଓଟିଆର) ନାଁରେ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ୟୋଜନାରେ ୧୮ ରାଜ୍ୟର ୮୦ ବନ ଉପଖଣ୍ଡକୁ ସାମିଲ କରାଯିବ ।
କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଙ୍ଗଳବାର କହିଛନ୍ତି ଯେ ୨୪ ଦେଶ ଇଣ୍ଟରନ୍ୟାସନାଲ୍ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ସାମିଲ ହେବା ଉପରେ ସହମତି ପ୍ରକାଶ କରିଛନ୍ତି । ଏହା ଭାରତର ନେତୃତ୍ୱରେ ଆରମ୍ଭ କରାଯାଇଥିବା ବିଶ୍ୱ ସ୍ତରୀୟ ଅଭିଯାନ, ଯାହା ଉଦ୍ଦେଶ୍ୟ ବିଗ୍ କ୍ୟାଟ୍ଙ୍କ ୭ଟି ପ୍ରଜାତିଙ୍କୁ ସୁରକ୍ଷା ପ୍ରଦାନ କରିବା । ଆଇବିସିଏର ଆନୁଷ୍ଠାନିକ ୱେବସାଇଟ୍ ଅନୁସାରେ ବର୍ତ୍ତମାନ ୧୨ ଦେଶ ଏହି ସଂଗଠନର ସଦସ୍ୟ ଅଛନ୍ତି । ଭାରତ, ଆର୍ମେନିଆ, ଭୂଟାନ, କାମ୍ୱୋଡିଆ, ଇଥିଓପିଆ, ଗିନି, ଲାଇବେରିଆ, ନିକାରାଗୁଆ, ସୋମାଲିଆ ଓ ସୁରିନାମ ସାମିଲ ଅଛନ୍ତି ।