ବାପା-ମାଆ ଛେଉଣ୍ଡ ପିଲାଟିର ଦୁର୍ଭାଗ୍ୟ, ପ୍ରବେଶିକାରେ ୨୭୦ ରାଙ୍କ୍ ପାଇଥିଲା, କିନ୍ତୁ ଭୁଲ ଲିଙ୍କ୍ କ୍ଲିକ୍ କରିବାରୁ ମିଳିଲାନି ବମ୍ବେ ଆଇଆଇଟିରେ ସିଟ୍

Published By : Prameya-News7 Bureau | November 30, 2020 IST

ଆଗ୍ରା,୩୦/୧୧:   ଆଗ୍ରାର ସିଦ୍ଧାନ୍ତ ବାତ୍ରାଙ୍କୁ ଅକ୍ଟୋବରରେ ଆଇଆଇଟି ଜେଇଇରେ-୨୦୨୦ରେ ସର୍ବ ଭାରତୀୟସ୍ତରରେ ୨୭୦ ରାଙ୍କ୍ ମିଳିଥିଲା । କଠିନ ପରିସ୍ଥିତିରେ ପାଠ ପଢି ସଫଳତା ପାଇଥିବା ୧୮ ବର୍ଷୀୟ ସିଦ୍ଧାନ୍ତ ଏବେ ଚର୍ଚ୍ଚାରେ ରହିଛନ୍ତି । ସିଦ୍ଧାନ୍ତଙ୍କ ପାଳନପୋଷଣ ତାଙ୍କ ମାଆ କରୁଥିଲେ ମଧ୍ୟ ୨ ବର୍ଷ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଆଇଆଇଟି ରାଙ୍କ୍ ପାଇବା ପରେ ସିଦ୍ଧାନ୍ତ ଖୁସି ଥିଲେ । ତାଙ୍କୁ ଆଇଆଇଟି ବମ୍ବେର ଇଲେକ୍ଟ୍ରିକାଲ ବିଭାଗରେ ମଧ୍ୟ ସିଟ୍ ମିଳିଥିଲା । କିନ୍ତୁ ଏଖ ଛୋଟିଆ ଭୁଲ ପାଇଁ ତାଙ୍କର ଏହି ସ୍ୱପ୍ନ ବରବାଦ ହୋଇଯାଇଛି ।

ସୂଚନାନୁସାରେ, ଅକ୍ଟୋବର ୧୮ରେ ସିଦ୍ଧାନ୍ତ ସିଟ୍ ଚଏସର ପ୍ରଥମ ରାଉଣ୍ଡ ପୂରଣ କରିଥିଲେ । ଅକ୍ଟୋବର ୩୧ରେ ନିଜ ରୋଲ୍ ନମ୍ବର ଅଫଡେଟ୍ ବେଳେ ତାଙ୍କୁ ଏକ ଲିଙ୍କ୍ ମିଳିଥିଲା । ଯେଉଁଥିରେ ସିଟ୍ ନିର୍ଦ୍ଧାରଣ ଓ ଆଗାମୀ ରାଉଣ୍ଡରୁ ଓହରିବା ଲେଖାଯାଇଥିଲା । ତାଙ୍କୁ ମନପସନ୍ଦର ସିଟ୍ ମିଳିଥିବା ଭାବି ସେ ଏହି ଲିଙ୍କରେ କ୍ଲିକ୍ କରିଥିଲେ । କିନ୍ତୁ ନଭେମ୍ବର ୧୦ରେ ତାଙ୍କ ନାମ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କୋର୍ସରେ ପ୍ରବେଶ ପାଇଥିବା ଛାତ୍ର ତାଲିକାରେ ନଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଏନେଇ ନଭେମ୍ବର ୧୯ରେ କୋର୍ଟ ଶୁଣାଣି କରି ଆଇଆଇଟିକୁ ଏହା ଉପରେ ବିଚାର କରିବାକୁ କହିଥିଲେ । କିନ୍ତୁ ଆଇଆଇଟି ଅଧିକାରୀ ସିଦ୍ଧାନ୍ତଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏବେ ସିଦ୍ଧାନ୍ତଙ୍କୁ ଆଗାମୀ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବ ।

ନିରାଶ ହେବା ପରେ ସିଦ୍ଧାନ୍ତ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତାଙ୍କ ପାଇଁ ଗୋଟିଏ ଅତିରିକ୍ତ ସିଟ୍ ବୃଦ୍ଧି ପାଇଁ ସେ ଅନୁରୋଧ କରିଛନ୍ତି । ସିଦ୍ଧାନ୍ତ ଏବେ ନିଜ ମାମୁଁ ଘରେ ରହୁଛନ୍ତି । ତାଙ୍କୁ ଅନାଥ ପେନସନ୍ ମଧ୍ୟ ମିଳୁଛି । ତେବେ ତାଙ୍କର ଆବେଦନ ଉପରେ ମଙ୍ଗଳବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.