ଭୁବନେଶ୍ବର ୨୮।୮: ରାଜ୍ୟରେ ସପ୍ତାହେ ଯାଏଁ ବର୍ଷା ଲାଗି ରହିବ । ୨୯ ରେ ଆଉ ଏକ ଲଘୁଚାପ ରହିଛି । ପ୍ରଭାବରେ ୩୦ରୁ ବର୍ଷା ଆରମ୍ଭ ହେବ । ଅଗଷ୍ଟ ୨୯ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ଆସନ୍ତା ୪ ଦିନ ଧରି ଓଡ଼ିଶାରେ ବର୍ଷା ଲାଗିରହିବ।
୨୮ ଓ ୨୯ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୩୦ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ଓ ୩୧ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୨୮ ତାରିଖ ମଧ୍ୟାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେଇପାରେ। ୨୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ତେବେ ଏହାପରେ ପାଗରେ ପରିବର୍ତନ ଆସିବ। ଉତ୍ତର ଓଡ଼ିଶା ସମେତ କଟକ, ନୟାଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହେଇପାରେ। ୩୦ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାର ଗେଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବରଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ଲାଗିରହିବ। ମୋଟାମୋଟି ଭାବେ ରାଜ୍ୟରେ ଉପକୂଳରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍ ରହିବ ।