ଜଗନ୍ନାଥଙ୍କ ଟଙ୍କା ଫେରିଲା, ଏପଟେ ବିରୋଧୀ ଗର୍ଜିଲେ... ସରକାର କାହିଁକି ଚୁପ୍‌?

Published By : Prameya-News7 Bureau | March 19, 2020 IST

ପୁରୀ୧୯/୩: ୟେସ୍ ବ୍ୟାଙ୍କରୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଫେରିବା ଆରମ୍ଭ ହୋଇଛି। ପ୍ରଥମ ଆକାଉଣ୍ଟର ୩୮୯ କୋଟିର ଫିକ୍ସଡ ଡିପୋଜିଟର ଅବଧି ପୁରିଥିବାରୁ ସୁଧମୂଳ SBI ଶାଖାକୁ ଟ୍ରାନସଫର ହୋଇଛି । ବାକି ୧୫୬ କୋଟିର ଟର୍ମ ମାର୍ଚ୍ଚ ୩୦ ତାରିଖରେ ପୂରିବା ପରେ ଟଙ୍କା ଉଠିବ। ସେପଟେ ବିରୋଧୀ ଯୁକ୍ତି ବାଢିଲେଣି ଯେ ଟଙ୍କା ତ ଫେରିଲା ହେଲେ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଚୁପ କାହିଁକି। ଯାହାର ଜବାବ ରଖିଛି ବିଜେଡି।

ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀ ଜଗନ୍ନାଥଙ୍କ ଜମା ଟଙ୍କା। ଗୁରୁବାର ୩୮୯ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଅବଧି ପୂରିଥିଲା। ଅନଲାଇନ୍ ଟ୍ରାନସଫର୍ ମାଧ୍ୟମରେ ସୁଧମୂଳ ମିଶାଇ ମୋଟ୍‌  ୩୯୭କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା SBI ଶାଖାକୁ ଟ୍ରାନସଫର ହୋଇଛି। ଏଥିରୁ ମୂଳ ୩୮୯ କୋଟି ଏବଂ ସୁଧ ୮କୋଟି ୨୩ଲକ୍ଷ ୨୭ ହଜାର ୬୩୬ଟଙ୍କା। ବାକି ୧୫୬ କୋଟିର ସ୍ଥାୟୀ ଜମା ୩୦ ତାରିଖରେ ଅବଧି ପୁରିବା ପରେ ଟଙ୍କା ଉଠାଯିବ। ସମସ୍ତ ଟଙ୍କା ତିନୋଟି ଜାତୀୟ ବ୍ୟାଙ୍କରେ ରଖାଯିବ। ଟେଣ୍ଡର ମାଧ୍ୟମରେ ଯେଉଁ ବ୍ୟାଙ୍କ ସବୁଠୁ ଅଧିକ ସୁଧ ଦେବ ସେଇ ବ୍ୟାଙ୍କରେ ସର୍ବାଧିକ ୫୦ ପ୍ରତିଶତ ଏବଂ ତା ତଳକୁ ଅନ୍ୟ ଦୁଇଟି ବ୍ୟାଙ୍କରେ ୨୫ ପ୍ରତିଶତ ଲେଖାଏଁ ଅର୍ଥ ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସେବାୟତଙ୍କୁ ମିଠା ଖୁଆଇ ଖୁସି ମନାଇଛି ଶ୍ରୀଜଗନ୍ନାଥ ସେନା। ମହାପ୍ରଭୁଙ୍କ ନିକଟରେ ଦୀପ ଜଳାଯାଇଛି। ସେପଟେ ସେବାୟତମାନେ ମଧ୍ୟ ଏହାକୁ ନେଇ ଖୁସି ଜାହିର କରିଛନ୍ତି। ଜଗନ୍ନାଥଙ୍କ ଟଙ୍କା ଫେରସ୍ତ ଆସୁଥିଲେ ବି ଏହାକୁ ନେଇ କିନ୍ତୁ ରାଜନୀତି ଥମୁନି। ଟଙ୍କା ଫେରିବା ପରେ ବିରୋଧୀ ନୂଆ ଯୁକ୍ତି ବାଢିଛନ୍ତି। ଟଙ୍କା ତ ଫେରିଲା ହେଲେ ନିୟମ ବାହାରେ କିଏ ଏହି ଟଙ୍କା ୟେସ୍ ବ୍ୟାଙ୍କରେ ରଖିଲେ ସେନେଇ ସରକାର ଚୁପ ନ ରହି ଜବାବ ଦିଅନ୍ତୁ।

କଂଗ୍ରେସ କହିଛି ବିରୋଧୀଙ୍କ ଚାପରେ ଜଗନ୍ନାଥଙ୍କ ଟଙ୍କା ଫେରିଲା, ଯିଏ ଟଙ୍କା ରଖିଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ। ଜବାବରେ ବିଜେଡି କହିଛି ଗୃହ କମିଟି ଗଠନ ହୋଇଛି। ବାଚସ୍ପତି ଗୃହ କମିଟି ଡାକି ଆଲୋଚନା କରିବେ। ଗୃହ କମିଟି ସରକାରଙ୍କୁ ରିପୋର୍ଟ ଦେବ। ସରକାରଙ୍କ ଭଲ କାମକୁ ବିରୋଧୀ କେବେ ଗ୍ରହଣ କରନ୍ତିନି। ଆସନ୍ତାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମସ୍ତ ଜାତୀୟକରଣ ବ୍ୟାଙ୍କର ଟେଣ୍ତର ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା କେଉଁ ୩ ଟି ବ୍ୟାଙ୍କରେ ରହିବ ତାହା ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.