ହିଣ୍ଡନବର୍ଗ ରିପୋର୍ଟକୁ ନେଇ ସଂସଦରେ ବିପକ୍ଷଙ୍କ ହଙ୍ଗାମା, ଲୋକସଭା ଓ ରାଜ୍ୟସଭା ଠପ

Published By : Prameya-News7 Bureau | February 02, 2023 IST

ନୂଆଦିଲ୍ଲୀ ୨।୨: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀମାନଙ୍କୁ ନେଇ ହିଣ୍ଡନବର୍ଗ ରିପୋର୍ଟରେ ଏବେ ରାଜନୈତିକ ହଙ୍ଗାମା ଦେଖା ଦେଇଛି। ରିପୋର୍ଟକୁ ନେଇ ସେୟାର ବଜାରରେ ଆଦାନୀ ସମୂହଙ୍କ କମ୍ପାନୀଙ୍କ ସେୟାର ହ୍ରାସ ହେଉଥିବା ବେଳେ ସଂସଦରେ ବିରୋଧୀ ଏବେ ଆକ୍ରମକ ହୋଇଉଠିଛନ୍ତି। ଗୁରୁବାର କଂଗ୍ରେସ, ଆମ ଆଦମୀ ପାର୍ଟି, ଡିଏମକେ, ଶିବସେନା, ଜେଡିୟୁ, ଏନସିପି ଓ ବାମପନ୍ଥୀ ଆଦି ୧୩ ଦଳ ପ୍ରସଙ୍ଗ ନେଇ ବୈଠକ କରିଥିଲେ।

ବୈଠକ ରେ ଆଦାନୀ ଗ୍ରୁପ ଉପରେ ହିଣ୍ଡନବର୍ଗ ରିପୋର୍ଟ ନେଇ ସଂସଦରେ ଆଲୋଚନା ନେଇ ସହମତି ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିବା ସଂସଦରେ ବିରୋଧୀ ଦଳ ଏକ ଶ୍ୱରରେ ଆଦାନୀ ପ୍ରସଙ୍ଗ ଚର୍ଚ୍ଚା ଦାବି କରିବା ସହ ହୋ ହଲ୍ଲା କରିଥିଲେ। ଏଣୁ ସଂସଦକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ସେୟାର ବଜାରରେ ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ପ୍ରସଙ୍ଗରେ ସଂସଦରେ ୧୩ ଦଳ ଏକଜୁଟ ହୋଇଛନ୍ତି। ଏହି ପାର୍ଟିମାନେ ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଚର୍ଚ୍ଚା ଦାବି କରିଛନ୍ତି ଓ ଆଦାନୀ ସମୂହ ଉପରେ ଗଡବଡ଼ କରିଥିବାର ଅଭିଯୋଗ ଆଣିଛନ୍ତି।

{"id":740649,"width":840,"height":473,"sizeSlug":"full","linkDestination":"none"}

କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମାଜବାଦୀ ପାର୍ଟି ନେତା ରାମଗୋପାଲ ଯାଦବ, ଆପ ସାଂସଦ ସଞ୍ଜୟ ସିଂହ, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ୧୩ ଭିନ୍ନ ଭିନ୍ନ ରାଜନୈତିକ ଦଳଙ୍କ ସାଂସଦମାନେ ଯୋଗ ଦେଇଥିଲେ। ସିପିଆଇ ନେତା ବିନୟ ବିଶ୍ୱମଙ୍କ ସମେତ କେତେକ ସାଂସଦ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଚର୍ଚ୍ଚା ଲାଗି ନୋଟିସ ମଧ୍ୟ ଦେଇଛନ୍ତି। ସଂସଦର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପ୍ରସଙ୍ଗକୁ ନେଇ ସାଂସଦମାନେ ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ଏଣୁ ଲୋକସଭା ସହିତ ରାଜ୍ୟସଭା ମଧ୍ୟ ମୁଲତବୀ ହୋଯାଇଛି।

ଏବେ ଏହି ଲଢେଇକୁ ବିରୋଧୀ ଦଳ ସଂସଦରୁ ସଡକକୁ ନେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି।  ଏଣୁ ଗୃହ କାର୍ଯ୍ୟ ମୁଲତବୀ ହେବାମାତ୍ରେ ବିରୋଧୀ ଦଳମାନେ ବିଜୟ ଚୌକରେ ଧାରଣା ଦେଇଛନ୍ତି। ଘଟଣାକୁ ନେଇ ଖଡଗେ କହିଛନ୍ତି ଯେ ଆମେ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲୁ, ତେବେ ଏହାକୁ ମଞ୍ଜୁରୀ ମିଳି ନାହିଁ। ଖଡଗେ କହିଛନ୍ତି ଯେ ଏହା ଦେଶର ସବୁଠୁ ବଡ଼ ଆର୍ଥିକ ହେରଫେର ଘଟଣା, ଯାହାର ତଦନ୍ତ ହେବା ଦରକାର। ସେହିପରି ସିପିଆଇ ନେତା ସଂସଦକୁ ଦେଇଥିବା ମୁଲତବୀ ପ୍ରସ୍ତାବରେ ଜନତାଙ୍କ ପଇସା ଏବେ ରିସ୍କରେ ଥିବା କହିଛନ୍ତି। ଲୋକଙ୍କ ଆଗରେ ସେମାନଙ୍କ କଷ୍ଟାର୍ଜିତ ଧନ ବୁଡିବା ଉପରେ, ଏହା ଏକ ଗୁରୁତର ଘଟଣା ଓ ଏହା ଉପରେ ତୁରନ୍ତ ଆଲୋଚନା ହେବା ଦରକାର ବୋଲି କହିଛନ୍ତି।

{"id":740651,"sizeSlug":"full","linkDestination":"none"}

ସିପିଆଇ ସାଂସଦ କହିଛନ୍ତି ଯେ ଆଦାନୀ ଗ୍ରୁପ କମ୍ପାନୀମାନେ ଏବେ ଯେଉଁ ପରିସ୍ଥିତିରେ ଅଛନ୍ତି ସେଥିରୁ ସାଧାରଣ ଲୋକଙ୍କ ବିପୁଳ ଧନ ବୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ସବୁଠୁ ଯାହା ବଡ଼ କଥା ତାହା ହେଉଛି ଏଥିରେ ଏଲଆଇସିର ମଧ୍ୟ ନିବେଶ ରହିଛି। ଏଣୁ ପୁଞ୍ଜି ବୁଡିଯିବାର ଅନେକ ସମ୍ଭାବନା ରହିଛି ଯେଉଁଥି ଯୋଗୁ ସାଧାରଣ ନାଗରିକଙ୍କର ବଡ଼ କ୍ଷତି ହେବାକୁ ଯାଉଛି ବୋଲି ସେ କହିଛନ୍ତି। ସେପଟେ ଲୋକସଭାରେ କଂଗ୍ରେସ ସାଂସଦ ମଣିକନ ଟାଗୋର ମଧ୍ୟ କାର୍ଯ୍ୟ ସ୍ଥଗନ ନୋଟିସ୍ ଦେଇ ଆଦାନୀ ଏଣ୍ଟରପ୍ରାଇଜର୍ସ ପ୍ରସଙ୍ଗରେ ଚର୍ଚ୍ଚା ଦାବି କରିଛନ୍ତି।

ସେହିପରି କଂଗ୍ରେସ ସାଂସଦ ମନିଷ ତିୱାରୀ ଟ୍ୱିଟ୍‌ କରି ଆଦାନୀ ପ୍ରକରଣରେ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ଗଠନ କରାଯିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ସଂସଦର ଚଳତି ଅଧିବେଶନରେ ବିରୋଧୀ ଦଳ ଚୀନ୍, ମୂଲ୍ୟବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସମ୍ପର୍କିତ ପ୍ରସଙ୍ଗ ଓ କେନ୍ଦ୍ର ରାଜ୍ୟ ସମ୍ପର୍କ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି। ମନିଷ ତିୱାରୀ ଚୀନ୍‌ ପ୍ରସଙ୍ଗରେ ଚର୍ଚ୍ଚା ଦାବି କରି ମୁଲତବୀ ପ୍ରସ୍ତାବ ନୋଟିସ୍ ଦେଇଛନ୍ତି। ସଂସଦର ବଜେଟ୍ ଅଧିବେଶନ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ଭାଗ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୧୪ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସଂସଦର କାର୍ଯ୍ୟ ବନ୍ଦ ରହିବ ଓ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.