ସାଇରନ୍ ଶବ୍ଦ, ବ୍ଲାକାଉଟ୍, ଭୟ, ସତର୍କତା... ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟରେ ହେଲା ମକ୍ ଡ୍ରିଲ୍

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ: ନାଗରିକ ପ୍ରତିରକ୍ଷାର ଦ୍ୱିତୀୟ ମକ୍ ଡ୍ରିଲ୍ "ଅପରେସନ୍ ସିଲ୍ଡ" ଶନିବାର ଆୟୋଜନ କରାଯାଇଛି । ଏହି ମକ୍ ଡ୍ରିଲ୍ ପାକିସ୍ତାନ ସୀମାବର୍ତ୍ତୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ କରାଯାଇଛି । ଏଥିରେ ରାଜ୍ୟଗୁଡ଼ିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସାମିଲ ରହିଛି । ସୀମାବର୍ତ୍ତୀ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ପରୀକ୍ଷା କରିବା ଏହି ଅଭ୍ୟାସର ଲକ୍ଷ୍ୟ । ସୀମାନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି । ମକ୍ ଡ୍ରିଲ୍ ସମୟରେ, ଅନେକ ସହରରେ ସାଇରନ୍ ଶୁଣିବାକୁ ମିଳିଥିଲା । ଧୂଆଁ ମଧ୍ୟରେ ଆତଙ୍କର ପରିବେଶ ଦେଖିବାକୁ ମିଳିଥିଲା । 

ଅମ୍ବାଲାରେ ପ୍ରଶାସନ ଅପରେସନ୍ ସିଲ୍ଡ ଅଧୀନରେ ଏକ ମକ୍ ଡ୍ରିଲ୍ କରିଥିଲା ଏବଂ ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ସମୟରେ ସାଇରନ୍ ବାଜିବା ମାତ୍ରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ହୋଇଉଠିଥିଲା । ପଠାନକୋଟ୍ ରେଳ ଷ୍ଟେସନରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା । ଏହା ସହିତ ଅମୃତସରରେ ମକ୍ ଡ୍ରିଲ୍ ସମୟରେ ବ୍ଲାକଆଉଟ୍ କରାଯାଇଥିଲା ।

ରାଜସ୍ଥାନର ସମସ୍ତ ଜିଲ୍ଲାରେ ବି ମକ୍ ଡ୍ରିଲ୍ କରାଯାଇଥିଲା । ବିକାନେରର ବର୍ଡର ରୋଡ୍ ଅର୍ଗାନାଇଜେସନ୍  କ୍ୟାମ୍ପସରେ ଏକ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ହୋଇଥିଲା । ଏହି ସୂଚନା କଲେକ୍ଟରେଟର ନିୟନ୍ତ୍ରଣ କକ୍ଷକୁ ମିଳିଥିଲା । ସୂଚନା ମିଳିବା ମାତ୍ରେ ପୋଲିସ, ପ୍ରଶାସନ, ଏସଡିଆରଏଫ, ମେଡିକାଲ, ମ୍ୟୁନିସିପାଲ କର୍ପୋରେସନ, ବିଡିଏ ଏବଂ ଅଗ୍ନିଶମ ବାହିନୀ ସମେତ ବିଭିନ୍ନ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା । ଶ୍ରୀନଗରର ଡିସି କାର୍ଯ୍ୟାଳୟରେ ଜୋରରେ ସାଇରନ ଶବ୍ଦ ଶୁଣିବାକୁ ମିଳିଥିଲା । ଏହାସହ ସବୁଆଡ଼େ ଧୂଆଁ ଧୂଆଁ ହୋଇଯାଇଥିଲା । ଏହି ସମୟରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ମକ୍ ଡ୍ରିଲ୍ ବେଳେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ଦେଖାଯାଇଥିଲା । ସେହିପରି ଜମ୍ମୁରେ ମକ୍ ଡ୍ରିଲ୍ ବେଳେ ସାଇରନ୍ ବାଜିବା ସହ ବ୍ଲାକ୍ଆଉଟ୍ ହୋଇଥିଲା । ଏଠାରେ ମକ୍ ଡ୍ରିଲ୍ ବେଳେ ଏକ କୋଠାରେ ଅଗ୍ନିକାଣ୍ଡର ମୁକାବିଲା କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.