ବିନିକା 20/10 : ସ୍ୱପ୍ନ ତ ଅନେକ ଦେଖନ୍ତି। କିନ୍ତୁ ସତ ସେହିମାନେ କରନ୍ତି, ଯେଉଁମାନେ ସେହି ସ୍ୱପ୍ନରେ ବଞ୍ଚନ୍ତି। ଆଉ ତାକୁ ସତ କରିବାକୁ କରନ୍ତି କଠିନ ପରିଶ୍ରମ। ଆଜି ଆମେ ଯାହା ବିଷୟରେ କହିବୁ। ଇଏ ବି ସେମିତି ଜଣେ ବ୍ୟକ୍ତିତ୍ୱ। ଯିଏ ଏବେ ଅନ୍ୟମାନଙ୍କ ପ୍ରେରଣା। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ବିଶ୍ବମ୍ବରନାଥ ପାଣ୍ଡେ। ଯିଏ OASରେ 519 ନମ୍ବର ରାଙ୍କ୍ ରଖି ଏବେ ଚର୍ଚ୍ଚାରେ। ଏହା ଥିଲା ବିଶ୍ବମ୍ବରନାଥଙ୍କ ଦ୍ଵିତୀୟ ପ୍ରୟାସ। ଯେଉଁଥିରେ ସେ ମାରିନେଇଛନ୍ତି ବାଜି।
ଚାଷୀ ପରିବାରର ପୁଅ। ସରକାରୀ ବିଦ୍ୟାଳୟରୁ ତାଙ୍କ ପାଠପଢା। ଅଭାବ ଅନଟନ ଭିତରେ ଦିନ କଟିଛି। ତଥାପି କେବେ ମାନି ନଥିଲେ ହାର୍। ପ୍ରଶାସନିକ ସେବା ଅଧିକାରୀ ହେବାର ସ୍ୱପ୍ନ ସବୁବେଳେ ଦେଖୁଥିଲେ। ଆଉ ତାକୁ ସତ କରିବାକୁ ଦିନ ରାତି ଏକ କରି ଦେଇ ଥିଲେ। ସେଥିପାଇଁ କେତେବେଳେ ସିକ୍ୟୁରିଟି ଗାର୍ଡ ତ ଆଉ କେତେବେଳେ ବିଭିନ୍ନ ସଂସ୍ଥା ଗୁଡିକରେ କାମ କରୁଥିଲେ l କାହିଁକିନା ପରିବାର ଚଳାଇବାକୁ ଆଉ ପାଠ ପଢ଼ିବାକୁ ଅର୍ଥ ସାଜିଥିଲା ବାଧକ। ସେଥିପାଇଁ ସେ ଖୁବ୍ ପରିଶ୍ରମ କରି ପ୍ରଥମେ ପୋଷ୍ଟ ଅଫିସରେ କାମ କଳେ ପରେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇଲେ l ଏହି ସମୟରେ ନିଜ ପାଇଁ ସମୟ ବାହାର କରି ପାଠ ବି ପଢୁଥିଲେ। ତାଙ୍କ ପରିଶ୍ରମ ଫଳ ମିଳିଛି ବିଶ୍ବମ୍ବରନାଥ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 519 ରାଙ୍କ ରଖି ନିଜ ସ୍ୱପ୍ନ ପୂରଣ କରିଛନ୍ତି l ଆଗକୁ ସେ ଆଇଏସ ହେବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଚେଷ୍ଟା ବି ଜାରି ରଖିଥିବା କହିଛନ୍ତି ବିଶ୍ବମ୍ବରନାଥ ପାଣ୍ଡେ l
ସେ ଯା ହା ବି ହେଉ ବିଶ୍ୱମ୍ୱର ପ୍ରମାଣ କରିଛନ୍ତି ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ତାଙ୍କୁ ତାଙ୍କ ସଫଳତା ପାଇଁ ଅନେକ ଅଭିନନ୍ଦନ। ଆଗକୁ ତାଙ୍କର ସବୁ ସ୍ୱପ୍ନ ସତ ହେଉ ଏତିକି କାମନା।