ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା; ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ସହାୟତା

Published By : Prameya-News7 Bureau | March 06, 2025 IST

ଭୁବନେଶ୍ୱର ୦୬/୦୩: ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପ୍ରଦାନ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ହୋଇଛି । ଏଥିରେ ଉପକୃତ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀ ଉପକୃତ ହୋଇଛନ୍ତି । ଏହା ଦ୍ବାରା ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଟଙ୍କା ବାଣ୍ଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟପଟେ ମାର୍ଚ୍ଚ ୩୧ ତାରିଖ ଯାଏଁ ‘ସୁଭଦ୍ରା’ ଆବେଦନ ପ୍ରକ୍ରିୟା ଚାଲିବ । ଜଣେ ବି ମହିଳା ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ିବେ, ସେନେଇ ଘରେ ଘରେ ଯୋଗ୍ୟ ହିତାଧିକାରୀ ଖୋଜିବେ ରାଜ୍ୟ ସରକାର । ଡୋର୍‌ ଟୁ ଡୋର୍‌ ସର୍ଭେ ପରେ ନୂଆ ହିତାଧିକାରୀଙ୍କୁ ରକ୍ଷା ବନ୍ଧନରେ ସମସ୍ତଙ୍କୁ ତିନିଟି କିସ୍ତି ପ୍ରଦାନ କରିବେ ସରକାର । 


ମହିଳାଙ୍କୁ ସଶକ୍ତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା କରିଛନ୍ତି। ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.