ଆଜି ‘କୌନ୍ ବନେଗା କରୋଡ଼ପତି’ରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
12/10/2018 at 12:19 PM

ଭୁବନେଶ୍ବର୧୨|୧୦: ନଭେମ୍ବର ୨୭ରେ ଚତୁର୍ଦ୍ଦଶ ହକି ବିଶ୍ବକପ୍ । ଓଡିଶାର ରାଜଧାନୀ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ବକପ୍କୁ ନେଇ ଏବେ ହକି ପ୍ରେମୀଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖାଦେଇଛି। ଏହି ଭିତରେ ଏହାର ପ୍ରମୋସନ ବି ଖୁବ୍ ଜୋର୍ସୋର୍ରେ ଚାଲିଛି । ତେବେ ସୋନି ଟେଲିଭିଜନ ଦ୍ବାରା ପ୍ରସ୍ତୁତ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ୍ ବନେଗା କରୋଡ଼ପତି’ରେ ଆଜି ହଟ୍ସିଟ୍ରେ ଦେଖିବାକୁ ମିଳିବ ଇଣ୍ଡିଆନ୍ ହକିଟିମ୍ର ଖେଳାଳୀମାନଙ୍କୁ । ସୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେବିସିର ହଟ୍ ସିଟ୍ରେ ଦମ୍ ଦେଖାଇବା ଇଣ୍ଡିଆନ୍ ହକି ଟିମ୍ । ବିଶ୍ବକପ୍ ହକିରେ ବିଜୟ ପାଇଁ ଓ୍ବିସ୍ ଜଣାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିୟର ଅପ୍ କରିବେ ସଚିନ୍ । ଆଜି ସୋନି ଟେଲିଭିଜନ୍ ଦ୍ବାରା ପ୍ରସ୍ତୁତ ମୋଷ୍ଟ ପପୁଲାର୍ ପ୍ରୋଗ୍ରାମ୍ ‘କୌନ୍ ବନେଗା କରୋଡ଼ପତି’ର ହଟ୍ ସିଟ୍ରେ ଆଜି ନଜର ଆସିବେ ଇଣ୍ଟିଆନ୍ ହକି ଟିମ୍ର ଷ୍ଟାର ପ୍ଲେୟାର୍ । ସୋ’ର ହୋଷ୍ଟ୍ ଅମିତାଭ୍ ବଚ୍ଚନଙ୍କ ସହ ଚାଲିବ ସଓ୍ବାଲ ଜବାବ୍ର ରାଉଣ୍ଡ । ଆଜି ପ୍ରସାରିତ ହେବାକୁ ଥିବା କେବିସିର ଏହି କର୍ମବୀର ସ୍ପେଶାଲ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଏଥର ଓ୍ବାର୍ଲଡ୍ କପ୍ ହକିରେ ଭାରତୀୟ ଟିମ୍ ଇତିହାସ ରଚିବ କି ? ଅମିତାଭଙ୍କ ଏହି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ଆମେ ସେମାନଙ୍କୁ ଭୁବନେଶ୍ବରକୁ ସ୍ବାଗତ କରୁଛୁ । ସେମାନଙ୍କ ସଫଳତା କାମନା କରୁଛୁ ।
ଖାଲି ଏତିକି ନୁହେଁ ଓଡ଼ିଶାରେ ହକି ବିଶ୍ବକପ୍ର ଆୟୋଜନକୁ ନେଇ ମଧ୍ୟ ହକି ସହ ଓଡ଼ିଶାର ପରିଚୟକୁ ଯୋଡ଼ିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ହକି ଏକ ଲୋକପ୍ରିୟ ଖେଳ । ବିଶେଷ କରି ଆମର ଆଦିବାସୀ ଅଂଚଳରେ ଏହା ଖୁବ୍ ଲୋକପ୍ରିୟ । ଏଠି ଛୁଆମାନେ ଯେତେବେଳେ ଚାଲିବା ଶିଖନ୍ତି, ସେତେବେଳେ ସେମାନଙ୍କ ପ୍ରଥମେ ହକି ଖେଳିଥାନ୍ତି । ମୁଁ ମଧ୍ୟ ହକି ଷ୍ଟିକ୍ ଧରି ପଡ଼ିଆକୁ ଓହ୍ଲାଇଛି । ଖାଲି ନବୀନ କାହିଁକି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ କେବିସିର ଏହି ମଞ୍ଚରେ ଇଣ୍ଡିଆନ୍ ହକି ଟିମ୍କୁ ନିଜର ଭଏସ୍ ମେସେଜ୍ ଦ୍ବାରା ଚିୟର ଅପ୍ କରିଛନ୍ତି ।