କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ବକ୍ସଡ୍ରେନ୍‌ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୪୫୦ କୋଟି ଟଙ୍କା ବ୍ୟୟରେ ହୋଇଛି ନିର୍ମିତ

Published By : Prameya-News7 Bureau | February 29, 2024 IST

କଟକ ୨: ଦୀର୍ଘ ୧୦ ବର୍ଷ ପରେ ବକ୍ସଡ୍ରେନ୍‌ ଯନ୍ତ୍ରଣାରୁ କଟକ ସହରବାସୀଙ୍କୁ ମୁକ୍ତି ମିଳିଛି । ଗୁରୁବାର ବକ୍ସଡ୍ରେନ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବକ୍ସଡ୍ରେନ୍‌କୁ କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପ୍ରାୟ ୩ କି.ମି.ର ବକ୍ସଡ୍ରେନ୍ ।

ବର୍ଷାଜଳରେ ଉବୁଟୁବୁ କଟକ ସହରକୁ ଏଥିରୁ ରକ୍ଷା କରିବା ପାଇଁ ମୁଖ୍ୟ ଡ୍ରେନ୍‌ ସହ ଏହି ବକ୍ସଡ୍ରେନ୍‌ ନିର୍ମାଣ ହୋଇଛି । ୧୧ କି.ମି. ବ୍ୟାପି ଏହି ଡ୍ରେନ୍‌ରୁ କେବଳ ବକ୍ସ ଡ୍ରେନ୍‌ ହେଉଛି ପ୍ରାୟ ୩ କି.ମି. । ଏହି ଡ୍ରେନ୍‌ ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ପ୍ରଥମେ ୨୦୧୩ ରେ ପଡ଼ିଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଠିକା ସଂସ୍ଥାର ଚୁକ୍ତିକୁ ବାତିଲ କରି ଦିଆଯାଇଥିଲା । ପରେ ଏଥିପାଇଁ ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ।  ଡ୍ରେନ୍‌ କାର୍ଯ୍ୟ ଚାଲିଥିଲେ ମଧ୍ୟ ବକ୍ସଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାଇକା ପରେ ଦାୟିତ୍ୱ ନେଇଥିବା ୱାଟ୍‌କୋ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା ।

କାରଣ ପଟ୍ଟାପୋଲଠାରୁ ଆରମ୍ଭ ହୋଇଥିବା ବକ୍ସଡ୍ରେନ୍‌ କାର୍ଯ୍ୟ ଛତ୍ରବଜାର ପର୍ଯ୍ୟନ୍ତ ଆସିଲା ବେଳେ ଅନେକ ଘର ଏହି ଡ୍ରେନ୍‌ ପାର୍ଶ୍ୱରେ ପଡ଼ିଥିଲା । ଡ୍ରେନ୍‌ ପାଇଁ ଖୋଳାବେଳେ ଅନେକ ଘର ପ୍ରତି ଏହା ବିପଦ ସୃଷ୍ଟି କରିଥିଲା । ଖୋଳାଯାଉଥିବା ମେସିନ୍‌ର କମ୍ପନରେ କେତେକ ଘରର କାନ୍ଥ ଭାଙ୍ଗି ଯାଇଥିଲା ବେଳେ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଘରକୁ ବିପଦରେ ନ ପକାଇ ଯେପରି ଡ୍ରେନ୍‌ ଖୋଳିହେବ ସେଥିପାଇଁ ଜାପାନରୁ ଏକ ସ୍ୱତନ୍ତ୍ର ମେସିନ୍‌ ଅଣାଯାଇଥିଲା । ୨୦୨୩ ମାର୍ଚ୍ଚରୁ ୨୫୯୦ ମିଟର ଦୀର୍ଘ ବକ୍ସଡ୍ରେନ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ବୋଲି ଏହାର ଦାୟିତ୍ୱରେ ଥିବା ୱାଟ୍‌କୋ ଡ୍ରେନେଜ୍‌ ଡିଭିଜନ୍‌ ମ୍ୟାନେଜର୍‌ ବିଜୟ କୁମାର ପଣ୍ଡା ସୂଚନା ଦେଇଥିଲେ ।

You Can Read :

wp:embed {"url":"https://www.prameyanews7.com/minors-death-due-to-medical-negligence-allegation-in-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/minors-death-due-to-medical-negligence-allegation-in-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.