ମୁମ୍ବାଇ/ଭୁବନେଶ୍ବର: ମୁମ୍ବାଇରେ ଏକାଧିକ ନିବେଶକଙ୍କୁ ଭେଟି ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏହି ନିବେଶକଙ୍କ ମଧ୍ୟରେ ଅଛନ୍ତି ବେଦାନ୍ତ କମ୍ପାନିର ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲ । ବେଦାନ୍ତ ଆଲୁମିନିୟମ ଇଣ୍ଡଷ୍ଟ୍ରି ଏବଂ EV ମାନୁଫ୍ୟାକ୍ଚରିଂ ଉପରେ ଆଲୋଚନା ହୋଇଛି ।
ସେହିଭଳି ଗୋଦରେଜ୍ ଗ୍ରୁପର ଚେୟାରମ୍ୟାନ୍ ନାଦିର ଗୋଦରେଜଙ୍କ ସହ ମାନୁଫ୍ୟାକ୍ଚରିଂ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ । ସେହିଭଳି ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ରବି ଗୋୟେଙ୍କା ସହ ଜଗତସିଂହପୁରରେ ଏକ ସିନ୍ଥେଟିକ୍ କେମିକାଲ ପ୍ରୋଜେକ୍ଟ ଉପରେ ଆଲୋଚନା ହୋଇଛି ।
ଏଥି ସହ ଓ୍ବେଲସ୍ପନ୍ କମ୍ପାନୀର ବିଜୟ ଗୋୟଙ୍କା ଓ ବାଲକ୍ରିଷ୍ଣା ଗୋୟେଙ୍କା ସହ କଟକ ଚୌଦ୍ବାରରେ ଏକ ଟେକ୍ସଟାଇଲ୍ ପାର୍କ, ସମ୍ବଲପୁର ନିଲଡୁଙ୍ଗରିରେ DI ପାଇପ୍ ମାନୁଫ୍ୟାକ୍ଚରିଂ ୟୁନିଟ୍ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି JSW ଗ୍ରୁପ୍ ଏମଡି ସଜ୍ଜନ ଜିନ୍ଦଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।ସମ୍ବଲପୁରରେ ଭୂଷଣ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ, କଟକ ନରାଜରେ ଇଲେକ୍ଟ୍ରିକ୍ ଭେହିକିଲ ମାନୁଫ୍ୟାକ୍ଚରିଂ ଏବଂ ଲିଥିୟମ ବ୍ୟାଟେରି ମାନୁଫ୍ୟାକ୍ଚରିଂ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏଥି ସହ ରିଲାଏନ୍ସ ଗ୍ରୁପର ଅନନ୍ତ ଅମ୍ବାନୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ରାସାୟନିକ ଉଦ୍ୟୋଗ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି, ନିବେଶ ସମ୍ଭାବନା, ନିଯୁକ୍ତି ପ୍ରଦାନ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସଫଳ ଆଲୋଚନା କରାଯାଇଛି। ବିଶ୍ବରେ ରାସାୟନିକ ଉଦ୍ୟୋଗ କ୍ଷେତ୍ରରେ ଭାରତର ବିଶେଷ ଯୋଗଦାନ ରହିଛି। ନୂତନ ସମ୍ଭାବନାକୁ ପ୍ରୋତ୍ସାହନ, ବୈଦେଶିକ ରାସାୟନିକ ଉଦ୍ୟୋଗକୁ ନିବେଶ ସୁଯୋଗ ପ୍ରଦାନ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇଦେଉଛନ୍ତି।
ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ 'ପୂର୍ବୋଦୟ ବିକାଶ'ର ସ୍ଵପ୍ନକୁ ସାକାର କରିବା ନିମନ୍ତେ ଓଡ଼ିଶା ମଧ୍ୟ ନିଜର ଯୋଗଦାନକୁ ଆହୁରି ସଶକ୍ତ କରିଛି। ରାସାୟନିକ କ୍ଷେତ୍ରରେ ନୂତନ ଉଦ୍ଯୋଗ ସହିତ ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ଆୟୋଜନ କରିବାକୁ ଯାଉଛି।
ନିବେଶକଙ୍କ ନିମନ୍ତେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ। ଯାହାକି ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ନିଶ୍ଚୟ ସହାୟକ ହେବ।