ଜାଲ୍ ସାର୍ଟିଫିକେଟ୍ ଓ କୋଟିଆ ବିବାଦ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

Published By : Prameya-News7 Bureau | March 31, 2023 IST

ଭୁବନେଶ୍ବର ୩୧।୩: ଜାଲ୍ ସାର୍ଟିଫିକେଟ୍ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ହେଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶୂନ୍ୟକାଳରେ ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଥିଲେ, କୋଟିଆ ଗ୍ରାମପୁଞ୍ଜ ଏବଂ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି । ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା । ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କ’ଣ ପଦକ୍ଷେପ ନେଉଛନ୍ତି ।

ସେପଟେ ବିରୋଧୀ ଦଳ ନେତା ପ୍ରସଙ୍ଗ ଉଠାଇବା ପରେ ଜବାବ ରଖିଥିଲା ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି । ଗୃହରେ ପଲିଟିକ୍ସ କରୁଛନ୍ତି । ତାଙ୍କର ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି ୮ ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏକଥା କେତେ ଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର ବୋଲି ଅରୁଣ ସାହୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.