ସତ୍ୟବାଦୀ ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ : ଦୁଇବର୍ଷରେ ସରିବ ନିର୍ମାଣ କାମ

Published By : Prameya-News7 Bureau | October 09, 2018 IST

ଭୁବନେଶ୍ବର୯|୧୦: ବକୁଳବନରେ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ । ଗୋପବନ୍ଧୁ ଜୟନ୍ତୀ ଅବସରରେ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଲାଗି ଏହି ବିଶ୍ବବିଦ୍ୟାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଛନ୍ତି । ୧୯୦୯ରୁ ୨୦୧୮ । ବନବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ।  ଗୋପବନ୍ଧୁ ଜୟନ୍ତୀରେ ପଞ୍ଚସଖାଙ୍କ ସାଧନାସ୍ଥଳ ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପଡ଼ିଛି । ଏହି ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜିତ ହୋଇଥିଲା । ଆଜିର ଦିନ ସାରା ରାଜ୍ୟ ପାଇଁ ଗୌରବର ଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚସଖାଙ୍କ ବକୁଳବନ ଓଡ଼ିଆ ଜାତିର ନବଜାଗରଣ ଲାଗି ଯେଉଁଭଳି କାର୍ଯ୍ୟ କରିଥିଲା ଓଡ଼ିଆ ବିଶ୍ବବିଦ୍ୟାଳୟ ସେହି ଦାୟିତ୍ବକୁ ବଢାଇବ ବୋଲି ସେ କହିଛନ୍ତି । ଏଥିଲାଗି ବକୁଳବନ ଓ ଏହାର ନିକଟବର୍ତ୍ତୀ ପ୍ରାୟ ୨୯ ଏକର ଜମିକୁ ସାକ୍ଷୀଗୋପାଳ ଜୀଉଙ୍କଠାରୁ କିଣିଛନ୍ତି ରାଜ୍ୟ ସରକାର । ବକୁଳବନର ସମସ୍ତ ଗଛକୁ ଅକ୍ଷତ ରଖି ବିଶ୍ବବିଦ୍ୟାଳୟର ନିର୍ମାଣ ହେବ । ୨ ବର୍ଷ ମଧ୍ୟରେ ଏହି କାମ ସାରିବାକୁ ଲକ୍ଷ୍ୟ ରହିଛି । ସେତେଦିନ ଯାଏଁ ସତ୍ୟବାଦୀ ପାନ୍ଥ ନିବାସରେ ଅସ୍ଥାୟୀ କ୍ୟାମ୍ପସ ଚାଲିବ । ଏଠାରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ସହ ଗବେଷଣାର ସୁଯୋଗ ରହିବ । ପଞ୍ଚସଖାଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ପରେ ବକୁଳବନରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ନଦୀ ଜଳ ଓ ପବିତ୍ର ମାଟିର ବ୍ୟବହାର କରାଯାଇଥିଲା । ସେପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସର ସ୍ବର୍ଣ୍ଣିମ ମୂହୁର୍ତ୍ତର ସାକ୍ଷୀ ହେବାକୁ ସାଧାରଣ ଲୋକଙ୍କ ସୁଅ ଛୁଟିଥିଲା । ନ୍ୟୁଜ୭ର ଓପିନିନୟନ ପୋଲ୍ ରେ ପଞ୍ଚସଖାଙ୍କ କର୍ମସ୍ଥଳରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ଲାଗି ମତାମତ ରଖିଥିଲେ ଦର୍ଶକ । ପରବର୍ତ୍ତୀ ସମୟରେ ଏହାକୁ ସ୍ବୀକୃତି ଦେଇଥିଲେ ରାଜ୍ୟ ସରକାର । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଲାଗି ଏହି ବିଶ୍ବବିଦ୍ୟାଳୟ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.