ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ‘ବୋଉର ହାତବାକ୍ସ’, ରିଲିଜ ହେଲା ଅଡିଓ

Published By : Prameya-News7 Bureau | July 21, 2022 IST

ଭୁବନେଶ୍ବର ୨: ଓଡିଆ ସିନେମା ‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ମନଛୁଆଁ ଗୀତ ଲେଖିଛନ୍ତି ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ । ଯୁବ ସଂଗୀତଜ୍ଞ କ୍ଷୀତିପ୍ରକାଶ ମହାପାତ୍ର ଅତି ସୁନ୍ଦର ଭାବେ ସଂଗୀତକୁ ସଜାଇଛନ୍ତି । କାହାଣୀର ଆବେଗ ଓ ଆବଶ୍ୟକତାକୁ ନଜରରେ ରଖି ପ୍ରତିଷ୍ଠିତ ଗୀତିକାର ଦେବଦାସ ଛୋଟରାୟ କଲମ ଚାଳନା କରିଛନ୍ତି । କ୍ଲାସିକାଲ ଛୁଆଁରେ ବିଭିନ୍ନ ରାଗ ସଂଗୀତକୁ ଆହୁରି ଆକର୍ଷଣୀୟ କରିଛି । ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି ।

{"id":659318,"sizeSlug":"full","linkDestination":"none"}

ଭୁବନେଶ୍ବରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଫିଲ୍ମ ଫେଡେରେସନର ଉପସଭାପତି ବି.ଏଲ. ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ ଅତିଥି ଭାବେ ଯୋଗ ଦେଇ ନିଆରା ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’ର ସଫଳତା କାମନା କରିଥିଲେ । ଅନେକ ଦିନ ପରେ ଏଭଳି ଏକ ଚଳଚ୍ଚିତ୍ର ଓ ଛାତିକୁ ଛୁଇଁ ପାରୁଥିବା ସଂଗୀତ ଓଡିଆ ସିନେମାକୁ ଜୀବନ୍ୟାସ ଦେବ ବୋଲି ଅତିଥିମାନେ କହିଥିଲେ । ସେହିଭଳି ହିନ୍ଦୁସ୍ଥାନ କ୍ଲାସିକାଲ ଗାୟକ ଦେବେନ୍ଦ୍ର ଶତପଥୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସଂଗୀତ ନିର୍ଦ୍ଦେଶକ କ୍ଷିତିପ୍ରକାଶ ମହାପାତ୍ରଙ୍କ ସହ ପ୍ରଯୋଜକ ସଂଜୟ ଦାସ, ସଚ୍ଚିକାନ୍ତ ଜେନା ଓ ନିର୍ଦ୍ଦେଶକ ନାରାୟଣ ପତି ପ୍ରମୁଖ ଉପସ୍ଥିତ ରହିଥିଲେ । ସିନେମାର ମିଡିଆ କ୍ରିଏଟିଭ ହେଡ ପ୍ରଣୟ ଜେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

{"id":659319,"sizeSlug":"full","linkDestination":"none"}

‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରରେ ମା’-ପୁଅର ଅନାବିଳ ସମ୍ପର୍କକୁ ଅବତାରଣ କରାଯାଇଛି । ସେହିଭଳି ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ପ୍ରେମକୁ ମଧ୍ୟ ଦୃଶ୍ୟାୟନ କରାଯାଇଛି । ଖାସକରି ପିଲାମାନଙ୍କ ପାଇଁ ବୋଉ ସହିଯାଉଥିବା କଷ୍ଟ ଓ କହିପାରୁନଥିବା ଦୁଃଖ ସହ ପରିବାର ପ୍ରତି ବୋଉର ଦାୟିତ୍ବକୁ ଅତି ନିଖୁଣତାର ସହ ଦେଖାଇଛନ୍ତି ନିର୍ଦ୍ଦେଶକ ନାରାୟଣ ପତି । ଏହି ସିନେମାରେ ବୋଉ ଚରିତ୍ରରେ ଅଭିନୟ କରିଛନ୍ତି ଲୋପାମୁଦ୍ର ମିଶ୍ର । ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏଥି ସହିତ ରାଜେଶ ପଣ୍ଡା ଓ ଶୁଭଶ୍ରୀ ସବିତା ପଲେଇ, ଶିଶୁ କଳାକାର ଭାବରେ ଅଭିଷେକ ସାହୁ, ବିନୟ କୁମାର ବିଶ୍ବାଳ, ଆୟୁଷ ବଳ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.