ନୂଆପଡା ୧୨/୦୭: ଡାକ୍ତରଙ୍କ ମହାନତା । ଭରା ନଈ ପାର ହୋଇ ପହଞ୍ଚିଲେ ଉପାନ୍ତ ଅପହଞ୍ଚ ଇଲାକାରେ । ଖାଲି ପହଞ୍ଚିଲେନି ତ ରୋଗୀ ସେବା ବି କଲେ । ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଶ୍ରୀମାନ ସାହୁ ଏବେ ସାଜିଛନ୍ତି ଗାଁ ଲୋକଙ୍କ ପାଇଁ ଦ୍ୱିତୀୟ ଭଗବାନ୍ । ତାଙ୍କ ସହ PHO, CHO ଓ ସେକ୍ଟର ସୁପରଭାଇଜର ପହଞ୍ଚି ରୋଗୀ ଚିକିତ୍ସା କରିଛନ୍ତି।
ଏ ହେଉଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଛତିଶଗଡ ସୀମାନ୍ତରେ ଥିବା ଚିତାରମା ଗାଁର ଦୃଶ୍ୟ। ଗାଁର ଗୋଟିଏ ପଟେ ଜଙ୍ଗଲ ଓ ଅନ୍ୟପଟେ ଛତିଶଗଡରୁ ବୋହି ଆସିଛି ଉଦନ୍ତୀ ନଦୀ। ବର୍ଷା ଚାରିମାସ ବାହ୍ୟ ଜଗତରୁ ବିଛିନ୍ନ ରହେ ଏହି ଗାଁ। ସ୍ୱାସ୍ଥ୍ୟସେବା ସହ ଅନେକ ସୁବିଧାରୁ ବଞ୍ଚିତ ରୁହନ୍ତି ଗ୍ରାମବାସୀ । କିଛିଦିନ ତଳେ ଗ୍ରାମର ଜଣେ ନାବାଳିକାର ଚିକିତ୍ସା ଅଭାବରୁ କ୍ରିଷ୍ଣା କୁମାରୀ ଚିନ୍ଦାଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଦିନଠାରୁ ଗାଁ ରେ ଲାଗି ରହିଛି ଥଣ୍ଡା, କାଶ ଓ ଜ୍ୱର । ଜଣଙ୍କୁ ଝାଡବାନ୍ତି ମଧ୍ୟ ହେଉଛି । ଉଦନ୍ତୀ ନଦୀରେ ବର୍ଷା ପାଣି ଆସୁଥିବାରୁ ରୋଗୀ ଡାକ୍ତରଖାନା ଆସିପାରୁ ନାହାନ୍ତି ।
ଯାହାର ଖବର ପାଇ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଔଷଧ ଓ ଟେଷ୍ଟିଂ କିଟ ଧାରୀ ଏକ ଟିମ ସହ ଭରା ନଈରେ ପାରି ହୋଇ ଚାଲି ଚାଲି ଗାଁରେ ପହଞ୍ଚିଥିଲେ । ଏହାସହ ୪୧ ଜଣଙ୍କ ଚିକିତ୍ସା କରିବା ସହ ଗର୍ଭବତୀ ମହିଳାଙ୍କୁ ମା ଗୃହରେ ଆଶ୍ରୟ ନେବାପାଇଁ ପରାମର୍ଶ ଦେଇଛନ୍ତି। ସେପଟେ ଡାକ୍ତରଙ୍କ ଏଭଳି କାମ ପରେ ଲୋକେ ବି କରୁଛନ୍ତି ପ୍ରଶଂସା ।