ନୂଆଦିଲ୍ଲୀ : ଭାରତରେ ଇଣ୍ଟରନେଟ୍ ସେବା ନିରନ୍ତର ବୃଦ୍ଧି ପାଉଛି, କିନ୍ତୁ ଏବେ ଏହା କେବଳ ସହର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଗାଁ , ସହର ଓ ଦୂରଦୂରାନ୍ତ ଅଞ୍ଚଳ ଯାଏ ମଧ୍ୟ ଏବେ ଦ୍ରୁତ ଓ ଶସ୍ତା ଇଣ୍ଟରନେଟ୍ ସେବା ପହଞ୍ଚି ପାରିବ। ଏହାର ବଡ଼ କାରଣ ଟେଲିକମ୍ ରେଗ୍ୟୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ର ସଦ୍ୟ ନିଷ୍ପତ୍ତି, ଯେଉଁଥିରେ ପବ୍ଲିକ୍ ୱାଇ-ଫାଇ ସେବାକୁ ଶସ୍ତା କରିବା ଦିଗରେ ପ୍ରମୁଖ ପଦକ୍ଷେପ ନିଆଯାଇଛି। ଏବେ ଛୋଟ ଛୋଟ ଦୋକାନ ମଧ୍ୟ କମ୍ ଦାମ୍ରେ ଇଣ୍ଟରନେଟ୍ କିଣି ପାରିବେ ଏବଂ ନିଜର ଗ୍ରାହକଙ୍କୁ ଶସ୍ତା ଦରରେ ୱାଇ-ଫାଇ ସେବା ଦେଇ ପାରିବେ।
TRAI ଏହା ସ୍ଥିର କରିଛି ଯେ, ପବ୍ଲିକ୍ ଡାଟା ଅଫିସ୍ ( PDOs), ଯେମିତି କି ଚା’ ଦୋକାନ , ଗ୍ରୋସରୀ ଷ୍ଟୋର ବା ପାନ ଦୋକାନରେ ୱାଇଫାଇ ଦେଉଥିବା ଛୋଟ ଛୋଟ ଦୋକନୀଙ୍କୁ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର (ଆଇଏସପି) ସେତିକି ହିଁ ଦାମ୍ରେ ସେବା ଦେବେ , ଯେତେ ସେ ଏକ ସାଧାରଣ ବ୍ରଡବ୍ରାଣ୍ଡ ୟୁଜର ଠାରୁ ଆଦାୟ କରନ୍ତି। ଏହି ନୂଆ ନିୟମ ସେହି PDOsରେ ଲାଗୁ ହେବ ,ଯାହାର ୱାଇଫାଇ ସ୍ପିଡ୍ ୨୦୦ ଏମବିପିଏସ୍ ପର୍ଯ୍ୟନ୍ତ ଅଛି। ଏହାର ସିଧାସଳଖ ଫାଇଦା ସେହି ଗ୍ରାହକଙ୍କୁ ହେବ ଯାହା ଏବେସୁଦ୍ଧା ମହଙ୍ଗା ମୋବାଇଲ ଡାଟା କାରଣରୁ ସିମିତି ଇଣ୍ଟରନେଟ୍ ବ୍ୟବହାର କରି ପାରୁ ଥିଲେ।
TRAI ର କହିବାନୁସାରେ , ଭାରତର ଗ୍ରାମାଞ୍ଚଳ ଓ ଦୁର୍ବଳ ଆର୍ଥିକ ବର୍ଗର କ୍ଷେତ୍ରରେ ଇଣ୍ଟରନେଟର ବୃଦ୍ଧି ମଧ୍ୟ ସୀମିତ ଅଛି। PM-WANI ( ପ୍ରଧାନମନ୍ତ୍ରୀ ୱାଇ –ଫାଇ ଆକ୍ସେସ୍ ନେଟୱର୍କ ଇଣ୍ଟରଫେସ) ଯୋଜନା ଅନୁସାରେ ,ଛୋଟ ଛୋଟ ଦୋକାନୀଙ୍କ ମାଧ୍ୟମରେ ପବ୍ଲିକ୍ ୱାଇ-ଫାଇ ନେଟୱାର୍କ ପ୍ରସ୍ତୁତ କରାଯାଉଛି। କିନ୍ତୁ ଯେପର୍ଯ୍ୟନ୍ତ ଏହି ଦୋକାନୀମାନଙ୍କୁ ମହଙ୍ଗା ଦରରେ ଇଣ୍ଟରନେଟ୍ ମିଳିବ, ସେ ଶସ୍ତା ସେବା ଦେଇ ପାରିବେ ନାହିଁ । TRAI ର ଏହି ନିଷ୍ପତ୍ତି କେବଳ ଡିଜିଟାଲ ଇଣ୍ଡିଆ ମିଶନକୁ ଗତିଶୀଳ କରିବା ନୁହେଁ , ଗରିବ ଓ ଗ୍ରାମାଞ୍ଚଳରେ ଡିଜିଟାଲ ସମାନତା ମଧ୍ୟ ଆଣିବ।
ଉଲ୍ଲେଖନୀୟ ଯେ, ନିଷ୍ପତ୍ତି ନେବା ପୂର୍ବରୁ TRAI ଇଣ୍ଟଷ୍ଟ୍ରୀର ଅନେକ ଷ୍ଟକହୋଲଡର୍ସଙ୍କ ଠାରୁ ଫିଡବ୍ୟାକ୍ ମାଗି ଥିଲା। କିଛି ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍ସ ଏହି ପଦକ୍ଷେପକୁ ବିରୋଧ କରି କହି ଥିଲେ ଯେ , ତାଙ୍କୁ ନିଜର ସେବା ପାଇଁ ମୂଲ୍ୟ ସ୍ଥିର କରିବାର ଅଧିକାର ହେବା ଉଚିତ୍। ହେଲେ TRAI ଏହା ସ୍ପଷ୍ଟ କରିଛି ଯେ, ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ସାଧାରଣ ଜନତାଙ୍କୁ ଶସ୍ତାରେ ଇଣ୍ଟରନେଟ୍ ଉପଲବ୍ଧ କରାଇବା, କମ୍ପାନୀ ଗୁଡ଼ିକର ଲାଭକୁ ପ୍ରଭାବିତ କରିବାକୁ ନୁହେଁ।