ଲମ୍ବା ପଚରାଉଚୁରା ପରେ ବି ରାହୁଲଙ୍କୁ ମିଳୁନି ଆଶ୍ୱସ୍ତି, ପୁଣି ମଙ୍ଗଳବାର ଆସିବାକୁ କହିଲା ଇଡି

Published By : Prameya-News7 Bureau | June 20, 2022 IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗତ ସପ୍ତାହରେ ତିନି ଦିନ ପଚରା ଉଚୁରା ପରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ପଚରାଉଚୁରା କରିଛି । ମଙ୍ଗଳବାର ପୁଣି ଥରେ ପଚରାଉଚୁରା ପାଇଁ କାର୍ଯ୍ୟାଳୟରେ ହାଜର ହେବାକୁ କହିଛନ୍ତି ଅଧିକାରୀ । ଲମ୍ବା ପଚରାଉଚୁରା ପରେ ବି ରାହୁଲଙ୍କୁ ଆଶ୍ୱସ୍ତି ମିଳୁନଥିବା ବେଳେ ପୁଣି ମଙ୍ଗଳବାର ଆସିବାକୁ କହିଛନ୍ତି ଇଡି ଅଧିକାରୀ ।

ରାହୁଲ ଗାନ୍ଧୀ ସିଆରପିଏଫ ଯବାନଙ୍କ ଜେଡ୍ ପ୍ଲସ୍ ଶ୍ରେଣୀର ସୁରକ୍ଷା ସହିତ ପୂର୍ବାହ୍ନ ୧୧ଟା୫ରେ ଏପିଜେ ଅବଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ । ରାହୁଲ ପ୍ରାୟ ୩ଟା ୩୦ରେ ମଧ୍ୟାହ୍ନ ଭୋଜନ ପାଇଁ ଇଡିରୁ ବାହାରିଥିଲେ ଏବଂ ପ୍ରାୟ ଏକ ଘଣ୍ଟା ପରେ ଇଡି କାର୍ଯ୍ୟାଳୟ ପହଞ୍ଚିଥିଲେ । ଗୋଟିଏ ଦିନ ପୂର୍ବେ ରାହୁଲ ଗାନ୍ଧୀଙ୍କ ୫୨ତମ ଜନ୍ମଦିନ ଥିଲା । ସେପଟେ ସୋନିଆ ଗାନ୍ଧୀଙ୍କୁ ସୋମବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଗତ ସପ୍ତାହରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଲଗାତାର ତିନି ଦିନ ଇଡି ଅଧିକାରୀ ରାହୁଲଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିଥିଲେ । ଧନ ଶୋଧନ ରୋକଥାମ ଅଧିନିୟମ(ପିଏମଏଲଏ) ଆଧାରରେ ବୟାନ ରେକର୍ଡ କରାଯାଇଛି । ତାଙ୍କୁ ଶୁକ୍ରବାର ପୁଣି ଥରେ ଏଜେନ୍ସିରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ନିଜ ମାଆ ସୋନିଆ ଗାନ୍ଧୀଙ୍କ ଅସୁସ୍ଥ କାରଣରୁ ତାଙ୍କୁ ଜୁନ ୧୭ରେ ପଚରାଉଚୁରାରୁ ବିରତି ଦେବାକୁ ଚିଠି ଲେଖି ଅନୁରୋଧ କରିଥିଲେ । ଇଡି ତାଙ୍କ ଅନୁରୋଧ ସ୍ୱୀକାର କରିଥିଲେ ଏବଂ ଜୁନ ୨୦ରେ ହାଜର ହେବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.