୧୩ ଜିଲ୍ଲାରେ ନାହାନ୍ତି ଜଣେ ହେଲେ ବି ମନ୍ତ୍ରୀ : ୪ ଜିଲ୍ଲାରେ ଦୁଇ ଜଣ ଏବଂ ୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ

Published By : Prameya-News7 Bureau | June 05, 2022 IST

ଭୁବନେଶ୍ୱର ୦୫।୦୬: ଶପଥ ନେଲେ ନୂଆ ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍‌ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ୍‌ ହଲରେ ନୂତନ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ପୂର୍ବରୁ ଥିବା ୯ ଜଣ ମନ୍ତ୍ରୀଙ୍କୁ ପୁଣି ଥରେ ରିପିଟ୍‌ ହୋଇଛନ୍ତି । ଏହା ସହିତ ମନ୍ତ୍ରୀମଣ୍ଡଳରେ ପୂର୍ବରୁ ମନ୍ତ୍ରୀପଦ ପାଇ ପରେ ପୁଣି ବାଦ୍‌ ପଡିଥିବା ୫ଜଣଙ୍କୁ ଟିମରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରଦୀପ ଅମାତ ।

ତେବେ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ୧୭ ଜିଲ୍ଲାର ବିଧାୟକଙ୍କୁ ସ୍ଥାନ ମିଳିଥିଲା ବେଳେ ମନ୍ତ୍ରୀ ଶୂନ୍ୟ ରହିଛି ୧୩ ଜିଲ୍ଲା । ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ମନ୍ତ୍ରୀ ପଦ ପାଇଥିବା ବିଧାୟକ ମାନେ ହେଉଛନ୍ତି- ଯାଜପୁର ଜିଲ୍ଲାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଗଞ୍ଜାମ ଜିଲ୍ଲାରୁ ଚିକିଟି ବିଧାୟିକା ଉଷା ଦେବୀ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିିଳିଛି ମନ୍ତ୍ରୀପଦ ।

ସେହିଭଳି ପୁରୀ ଜିଲ୍ଲାରୁ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ନିମାପଡାରୁ ସମୀର ରଞ୍ଜନ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ରାୟଗଡା ଜିଲ୍ଲାରୁ ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲାରୁ ଆଠଗଡ ବିଧାୟକ ରଣେନ୍ଦ୍ର ପତାପ ସ୍ବାଇଁ ଢେଙ୍କାନାଳ ଜିଲ୍ଲାରୁ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡା ଜିଲ୍ଲାରୁ ନବ କିଶୋର ଦାସ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ କୁମାର ଅମାତ, ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ସମ୍ବଲପୁର ଜିଲ୍ଲାରୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ଜିଲ୍ଲାରୁ ବିଜେପୁର ବିଧାୟିକା ରୀତା ସାହୁ, ମୟୁରଭଞ୍ଜ ଜିଲ୍ଲାରୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ସେହିପରି ମନ୍ତ୍ରୀ ପଦ ପାଇନଥିବା ଜିଲ୍ଲା ମଧ୍ୟରେ ମାଲକାନାଗିରି, ଗଜପତି, ଜଗତସିଂପୁର, ଭଦ୍ରକ, ନୟାଗଡ, କୋରାପୁଟ, ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ, କେନ୍ଦୁଝର ଏବଂ ଦେବଗଡ ରହିଛି । ଏହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ କେହି ବି ଜଣେ ବିଧାୟକଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.