୨୦୨୫ରେ ବଡ଼ ବିଜୟ: ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ ୨୦୨୫ ଜିତିଲେ ନୀରଜ ଚୋପ୍ରା

Published By : Prameya-News7 Bureau | June 21, 2025 IST

internet

ନୂଆଦିଲ୍ଲୀ: ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ଜିତିଲେ ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା। ୨୦ ଜୁନ୍ (ଶୁକ୍ରବାର) ପ୍ୟାରିସ୍‌ରେ ଅନୁଷ୍ଠିତ ଏହି ଇଭେଣ୍ଟରେ ନୀରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀର ଜୁଲିଆନ୍ ୱେବରଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ନୀରଜ ୱେବର ବିରୁଦ୍ଧରେ ଦୋହା ପରାଜୟର ପ୍ରତିଶୋଧ ନେଇଛନ୍ତି। ଏହା ପୂର୍ବରୁ ଗତ ଦୁଇଟି ଟୁର୍ଣ୍ଣାମେଣ୍ଟରେ ନୀରଜ ୱେବରଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ଶୁକ୍ରବାର ନୀରଜ ତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି।

ମେ ୧୬ ତାରିଖରେ, ଜୁଲିଆନ୍ ୱେବର ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ନୀରଜ ଚୋପ୍ରାକୁ ପରାସ୍ତ କରିଥିଲେ। ଏଥିରେ ଜୁଲିଆନ୍ ୱେବର ୯୧.୦୬ ମିଟରର ଶ୍ରେଷ୍ଠ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହେଲେ ନୀରଜ ମାତ୍ର ୯୦.୨୩ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ତା’ପରେ ୱେବର ୨୩ ମଇରେ ପୋଲାଣ୍ଡରେ ଅନୁଷ୍ଠିତ ଜାନୁସ୍ କୁସୋସିଙ୍କି ସ୍ମାରକୀ ଇଭେଣ୍ଟରେ ନୀରଜଙ୍କୁ ପରାସ୍ତ କରିଥିଲେ। ଜାନୁସ୍ କୁସୋସିଙ୍କି ସ୍ମାରକୀ ଇଭେଣ୍ଟରେ, ୱେବର ୮୬.୧୨ ମିଟର ଏବଂ ନୀରଜ ୮୪.୧୪ ମିଟର ଥ୍ରୋ କରିଥିଲେ।

ହେଲେ ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ନୀରଜ ଚୋପ୍ରା ତାଙ୍କର ପ୍ରଥମ ପ୍ରୟାସରେ ୮୮.୧୬ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ଶୀର୍ଷରେ ରହିଥିଲେ, ଏବଂ ଶେଷ ପର୍ଯ୍ୟନ୍ତ ଲିଡ୍ ବଜାୟ ରଖିଥିଲେ। ତା’ପରେ ନୀରଜ ଦ୍ୱିତୀୟ ପ୍ରୟାସରେ ୮୫.୧୦ ମିଟର ଦୂରକୁ ଭାଲା ଫିଙ୍ଗି ଥିବା ବେଳେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ପ୍ରୟାସ ଫାଉଲ୍ ହୋଇଥିଲା। ଷଷ୍ଠ ପ୍ରୟାସରେ ସେ ୮୨.୮୯ ମିଟର ଭାଲା ଫିଙ୍ଗିଥିଲେ।

ପ୍ୟାରିସ୍ ଡାଇମଣ୍ଡ ଲିଗ୍‌ରେ ସମସ୍ତ ୮ ଖେଳାଳିଙ୍କ ସର୍ବଶ୍ରେଷ୍ଟ ଥ୍ରୋ

• ନୀରଜ ଚୋପ୍ରା (ଭାରତ)- ୮୮.୧୬ ମିଟର
• ଜୁଲିଆନ୍ ୱେବର (ଜର୍ମାନୀ)- ୮୭.୮୮ ମିଟର
• ଲୁଇଜ୍ ମୌରିସିଓ ଡା ସିଲଭା (ବ୍ରାଜିଲ୍)- ୮୬.୬୨ ମିଟର
• କେଶର୍ନ ୱାଲକଟ୍ (ତ୍ରିନିଦାଦ ଏବଂ ଟୋବାଗୋ)- ୮୧.୬୬ ମିଟର
• ଆଣ୍ଡରସନ୍ ପିଟର୍ସ (ଗ୍ରେନାଡା)- ୮୦.୨୯ ମିଟର
• ଜୁଲିୟସ୍ ୟେଗୋ (କେନିଆ)- ୮୦.୨୬ ମିଟର
• ଆଡ୍ରିଆନ୍ ମାର୍ଡାରେ (ମୋଲଡୋଭା)- ୭୬.୬୬ ମିଟର
• ରେମି ରୁଗେଟ୍ (ଫ୍ରାନ୍ସ)- ୭୦.୩୭ ମିଟର

ସୂଚନା ଥାଉକି ଯେ ଡାଇମଣ୍ଡ ଲିଗର ଯେକୌଣସି ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ୮ ପଏଣ୍ଟ ମିଳିଥାଏ। ଦ୍ୱିତୀୟ ସ୍ଥାନ ଅଧିକାର କରିବା ପାଇଁ ୭ ପଏଣ୍ଟ, ତୃତୀୟ ସ୍ଥାନ ଅଧିକାର କରିବା ପାଇଁ ୬ ପଏଣ୍ଟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ୫ ପଏଣ୍ଟ ମିଳିଥାଏ। ସେହି ଅନୁସାରେ ପ୍ୟାରିସ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ୮ ପଏଣ୍ଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜୁଲିଆନ ୱେବର ୭ ପଏଣ୍ଟ ପାଇଥିଲେ। ନୀରଜ ୮ ବର୍ଷ ପରେ ଥର ପାଇଁ ଡାଇମଣ୍ଡ ଲିଗ୍‌ ମୁକାବିଲା ପାଇଁ ପ୍ୟାରିସ୍ ପହଞ୍ଚିଥିଲେ। ସେ ଗତ ଥର ଜୁନିଅର ବିଶ୍ୱ ଚାମ୍ପିୟନ ଭାବରେ ଭାଗ ନେଇଥିଲେ ଏଥିରେ ସେ ପଞ୍ଚମ ସ୍ଥାନରେ ଅକ୍ତିଆର କରିଥିଲେ। ସୂଚନା ଥାଉକି ଜୁରିଖରେ ୨୭ ଏବଂ ୨୮ ସେପ୍ଟେମ୍ବରରେ ଡାଇମଣ୍ଡ ଲିଗ ୨୦୨୫ର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.