ପଳାତକ ନୀରବ ମୋଦୀର ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର, ଶେଷ ବିକଳ୍ପ ବନ୍ଦ କଲେ ଲଣ୍ଡନ ହାଇକୋର୍ଟ

Published By : Prameya-News7 Bureau | December 15, 2022 IST

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହୋଇଛି । ନୀରବ ମୋଦୀକୁ ଲଣ୍ଡନ ସ୍ଥିତ ହାଇକୋର୍ଟ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ପାଇଁ ଅନୁମତି ଦେବାକୁ ମନା କରିଛନ୍ତି । ନୀରବ ମୋଦୀ ନିକଟରେ ପ୍ରତ୍ୟର୍ପଣ ଟାଳିବାର ଶେଷ ବିକଳ୍ପ ଥିଲା । ବର୍ତ୍ତମାନ ସମୟରେ ନୀରବ ମୋଦୀ ଲଣ୍ଡନର ୱାଡସବର୍ଥ ଜେଲରେ ବନ୍ଦୀ ଅଛି । ଏବେ ନୀରବ ମୋଦୀ ନିକଟରେ ବ୍ରିଟେନରେ ଅନ୍ୟ କୌଣସି ବିକଳ୍ପ ବଳକା ନାହିଁ । ଏପରି ସ୍ଥିତିର ପଳାତକର ଭାରତ ଆସିବା ନିଶ୍ଚିତ ହୋଇଛି । ଗତ ମାସରେ ନୀରବ ମୋଦୀ ୟୁକେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲା ଏବଂ ପ୍ରତ୍ୟର୍ପଣ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ଦାବି କରିଥିଲା ।

ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ନ୍ୟାୟମୂର୍ତ୍ତି ଜେରେମୀ ଷ୍ଟୁଅର୍ଟ-ସ୍ମିଥ୍ ଏବଂ ନ୍ୟାୟମୂର୍ତ୍ତି ରବର୍ଟ ଜେ ରାୟ ଶୁଣାଇଛନ୍ତି ଯେ 'ଆବେଦେନକାରୀ(ନୀରବ ମୋଦୀ)ର ସୁପ୍ରିମକୋର୍ଟରେ ଅପିଲ କରିବା ପାଇଁ ଅନୁମତି ଯାଚିକାକୁ ଖାରଜ କରାଯାଉଛି'।  

ଗତ ନଭେମ୍ୱର ୯ରେ ଲଣ୍ଡନ ହାଇକୋର୍ଟ ନୀରବ ମୋଦୀର ଭାରତ ପ୍ରତ୍ୟର୍ପଣ ନେଇ ରାୟ ଶୁଣାଇଥିଲେ । ଏହାପରେ ସେ ହାଇକୋର୍ଟରେ ଅନ୍ୟ ଏକ ଯାଚିକା ଦଖଲ କରି ବ୍ରିଟେନ ସୁପ୍ରିମକୋର୍ଟରେ ନିଜ ପ୍ରତ୍ୟର୍ପଣ ବିରୋଧରେ ଯାଚିକା ଦାଖଲ କରିବା ଅନୁରୋଧ କରିଥିଲା । ଗୁରୁବାର ହାଇକୋର୍ଟ ଏହି ଅପିଲ ଉପରେ ରାୟ ଶୁଣାଇଛନ୍ତି ।

ଦେଶର ଅନ୍ୟତମ ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛି ନୀରବ ମୋଦୀ । ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ ବି କରୁଛନ୍ତି । ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି କରିଥିବା ନୀରବ ମୋଦୀ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କଠାରୁ ୭ ହଜାର କୋଟି ଟଙ୍କା ଠକେଇ କରିଥିଲା । ଭାରତ ସରକାର ପଳାତକ ନୀରବ ମୋଦୀକୁ ସ୍ୱଦେଶ ଆଣିବା ପାଇଁ ସବୁ ସମ୍ଭବ ଉଦ୍ୟମ କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.