ପାଇଖାନାରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ପୋଲିସ ହାତରେ ଆଉ ଏକ ସୁରାକ

Published By : Prameya-News7 Bureau | July 18, 2025 IST

ନଆଳି: ଗତ ୮ ତାରିଖରେ ନିଆଳି ଗୋବନ୍ଦପୁର ଥାନା ଅଧୀନ ଗୋବିନ୍ଦପୁର ଦେବୀ ବିହାର କଲେଜର ଜଣେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଭଡ଼ାଘର ପାଖରେ ଥିବା ଏକ ପରିତ୍ୟକ୍ତ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଛାତ୍ରୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବାବେଳେ ପୋଲିସକୁ ତଦନ୍ତରେ ଆଉ ଏକ ସୁରାକ ମିଳିଛି। 

ପୋଲିସର ସୂଚନା ଅନୁସାରେ, ଛାତ୍ରୀଙ୍କ ମୃତ୍ୟୁ ପଛରେ ପ୍ରେମ ବ୍ୟାପାର ରହିଥାଇପାରେ। କାରଣ ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ସହ ଛାତ୍ରୀଙ୍କର ପ୍ରେମ ସଂପର୍କ ଥିବା ଜଣାପଡ଼ିଛି। ଛାତ୍ରୀଙ୍କ ମୃତ୍ୟୁ ପୂର୍ବ ଦିନ ଉଭୟ ଭେଟ ହୋଇଥିଲେ। ଆଉ ଏହା ପରଦିନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ବୋଲି ପୋଲିସ କହିଛି।  ଏହା ସହ ଛାତ୍ରୀଙ୍କ ମୋବାଇଲରୁ ବହୁ ତଥ୍ୟ ପୋଲିସର ହସ୍ତଗତ ହୋଇଥିବା ମଧ୍ୟ ଜଣାପଡ଼ିଛି।

ତେବେ ଏପର୍ଯ୍ୟନ୍ତ ବି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ? ତାହା ଜଣାପଡ଼ିନାହିଁ। କାରଣ ସ୍ଥାନୀୟ ଲୋକେ କହିଛନ୍ତି ଯୁବତୀଙ୍କ ଗୋଡ଼ ତଳେ ଲାଗିଥିବାର ଦେଖିବାକୁ ମିଳିଥିଲା, ତେଣୁ ଏହା ହତ୍ୟା ମଧ୍ୟ ହୋଇପାରେ। ହେଲେ ବର୍ତ୍ତମାନ ପ୍ରେମ ପ୍ରସଙ୍ଗ ସାମ୍‌ନାକୁ ଆସିବା ପରେ ଘଟଣା ନୂଆ ମୋଡ଼ ନେଇଛି। ତେବେ ପ୍ରେମିକ ଧରାପଡ଼ିଲେ ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ସଦର ଏସଡିପିଓ ସୂଚନା ଦେଇଛନ୍ତି। 

ସୂଚନାଥାଉକି, ଗତ ୮ ତାରିଖରେ ଦେବୀ ବିହାର କଲେଜର ସୁଶୋଭିତା ସାହୁଙ୍କର ଝୁଲନ୍ତା ମୃତଦେହ ସେ ରହୁଥିବା ଭଡ଼ାଘର ନିକଟରୁ ଉଦ୍ଧାର କରାଯାଇଥିଲା। ସୁଶୋଭିତାଙ୍କ ଘର କେନ୍ଦୁଝର ଘଷିପୁରା ଥାନା ଦେଓଗାଁରେ। ସେ ଏଠାରେ ଜୁଲୋଜି ବିଭାଗରେ ପିଜି କରୁଥିଲେ ଏବଂ ହଷ୍ଟେଲରେ ରହୁଥିଲେ ।ମାତ୍ର କିଛି ଦିନ ତଳେ ହଷ୍ଟେଲ ଛାଡ଼ି ବାହାରେ ଭଡ଼ା ଘରେ ରହୁଥିଲେ। ଯେଉଁଠାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଚି। ପୋଷ୍ଟମର୍ଟମ ରିପୋର୍ଟରେ ଶ୍ଵାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟ ହୋଇଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.