ମୁମ୍ବାଇରେ ଆତଙ୍କୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ଚିଠି, ମିଳିତ ତଦନ୍ତ ଆରମ୍ଭ କଲା ଏନଆଇଏ-ମୁମ୍ବାଇ ପୋଲିସ୍
3/02/2023 at 12:31 PM

ନୂଆଦିଲ୍ଲୀ, ୦୩/୦୨: ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ ପରେ ବଢ଼ିଲା ସୁରକ୍ଷା। ଶୁକ୍ରବାର ଜାତୀୟ ସୁରକ୍ଷା ଏଜେନ୍ସୀ (ଏନଆଇଏ)କୁ ଏକ ଚିଠି ମିଳିଛି। ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ନିଜକୁ ତାଲିବାନୀ ସଦସ୍ୟ କହିବା ସହ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ନେଇ ଧମକ ଦେଇଥିବା ମୁମ୍ବାଇ ପୋଲିସ୍ ସୂତ୍ରରୁ ଜଣାପଡ଼ିଛି।
ସୂତ୍ର ଅନୁଯାୟୀ, ଏନଆଇଏ ମୁମ୍ବାଇ ପୋଲିସ୍ର ଏନେଇ ଅବଗତ କରାଇଛି ଯାହାପରେ ମହରାଷ୍ଟ୍ରର ଅନେକ ସହର ଆଲର୍ଟରେ ରଖାଯାଇଛି। ଏହି ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତି ନିଜକୁ ତାଲିବାନୀ କହିଛି। ସେ ମୁମ୍ବାଇରେ ଏକ ଆତଙ୍କୀ ହମଲା ହେବାକୁ ଯାଉଛି ବୋଲି ଚିଠିରେ କହିଛି। ତେବେ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ଏହାର ସତ୍ୟତା ଜାଣିବା ପାଇଁ ଏନଆଇଏ ମୁମ୍ବାଇ ପୋଲିସ୍ ସହ ମିଳିତ ଭାବରେ ଏକ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଏକ ଆତଙ୍କୀ ଆକ୍ରମଣ ନେଇ ଧମକ ମିଳିଥିଲା। ମଙ୍ଗଳବାର ମୁମ୍ବାଇ ଧୀରୁଭାଇ ଅମ୍ବାନୀ ଇଣ୍ଟରନାସନାଲ ସ୍କୁଲ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ସ୍କୁଲକୁ ଉଡ଼ାଇଦେବାକୁ ଧମକ ଦେଇଥିଲା। ମୁମ୍ବାଇ ପୋଲିସ୍ ଅନୁଯାୟୀ ଏହି କଲ୍ ୪ ଟା ୩୦ ମିନିଟ୍ ସମୟରେ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ସ୍କୁଲରେ ବୋମା ଖଞ୍ଜିଥିବା ନେଇ କହିଥିଲା।
ସେହିଭଳି ଗତବର୍ଷ ଅକ୍ଟୋବରରେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବୋମା ଲଗାଯାଇଥିବା ନେଇ ମୁମ୍ବାଇ ପୋଲିସ୍କୁ ଏକ ସନ୍ଦିଗ୍ଧ କଲ୍ ଆସିଥିଲା। ଏଥିରେ ସହରର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜାଯାଇଥିବା ନେଇ କୁହାଯାଇଥିଲା। ପୋଲିସର କହିବା ଅନୁଯାୟୀ, କଲ୍ରେ ଅନ୍ଧେରୀର ଇନଫିନିଟି ମଲ୍, ଜୁହୁ ପିଭିଆର ମଲ୍ ଏବଂ ସାହାରା ହୋଟେଲ ଏୟାରପୋର୍ଟଠାରେ ଏହି ବୋମା ଲଗାଯାଇଥିବା ନେଇ କୁହାଯାଇଥିଲା। ମୁମ୍ବାଇ ପୋଲିସ ଉକ୍ତ ସ୍ଥାନରେ ସୁରକ୍ଷା ଯାଞ୍ଚ କରିବା ସହ ଫୋନ୍ କରିଥିବା ବ୍ୟକ୍ତିର ଖୋଜ୍ ଜାରି ରହିଛି।