ଭୁବନେଶ୍ୱର ୦୬।୦୬ : ସାଂସଦଙ୍କୁ ଦିଲ୍ଲୀ ଡାକରା । ବିଜେପିର ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି । ଏହି ଗସ୍ତ ଅବସରରେ ଆଗାମୀ କାର୍ଯ୍ୟପନ୍ଥା ନେଇ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା ରହିଛି ।
ରାଜ୍ୟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ଅପାର ଜନସମର୍ଥନ ମିଳିଛି । ଓଡିଶାର ୨୧ ଲୋକସଭା ଆସନରୁ ବିଜେପି ୨୦ ସିଟ୍ରେ ବିଜୟୀ ହୋଇଛି । ଆଉ ବାକି ଗୋଟିଏ ଆସନ କଂଗ୍ରେସକୁ ମିଳିଛି । ତେବେ ରାଜ୍ୟରେ ଏତେ ସଂଖ୍ୟକ ସାଂସଦ ବିଜୟୀ ପରେ ବେଶ୍ ତତ୍ପର ହୋଇଉଠିଛି ବିଜେପି କ୍ୟାମ୍ପ ଅଫିସ। ଏହିକ୍ରମରେ ସମସ୍ତ ୨୦ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏହାସହ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା ମଧ୍ୟ କରିବେ।
ସେହିପରି ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତେଣୁ ଏହି କାର୍ଯ୍ୟକ୍ରମରେ ଓଡିଶା ବିଜୟୀ ସମସ୍ତ ସାଂସଦ ଯୋଗଦେଇପାରନ୍ତି । ତେବେ ଏନେଇ ସଠିକ୍ ସୂଚନା ମିଳିନାହିଁ ।
ଅନ୍ୟପଟେ ରାଜ୍ୟରେ ସରକାର ଗଠନ ସମ୍ପର୍କରେ ଶୀର୍ଷ ନେତୃତ୍ୱଙ୍କର ମତାମତ ନେଇପାରନ୍ତି | ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ବୈଠକ ଗୁରୁତ୍ୱପୁର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିପାରନ୍ତି ଶୀର୍ଷ ନେତୃତ୍ୱ |