ନୂଆ ସ୍କୁଲ୍‌ ବ୍ୟାଗ୍‌ ନୀତି: ଏଣିକି କମିବ ବସ୍ତାନୀ ଓ ହୋମ ଓ୍ବାର୍କ ବୋଝ, ବଢ଼ିବ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ଜ୍ଞାନ !

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨: ନୂଆ ସ୍କୁଲ ବ୍ୟାଗ ପଲିସି ଅନୁଯାୟୀ ଛାତ୍ରୀଛାତ୍ରୀ ଓଜନର ୧୦ ପ୍ରତିଶତ ଓଜନ ରହିବ ତାଙ୍କ ବ୍ୟାଗ୍‌। ନୂଆ ଶିକ୍ଷା ନୀତିକୁ ଧାନରେ ରଖି ଶିକ୍ଷା ମନ୍ତ୍ରାଳୟ ନୂଆ ସ୍କୁଲ ବ୍ୟାଗ ପଲିସି ଆଣିଛନ୍ତି। ଏହି ନୀତି ଅନୁଯାୟୀ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ହୋମ ଓ୍ବାର୍କ ଦିଆଯିବ ନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ଯାଏ ସ୍କୁଲ୍ ବ୍ୟାଗ୍‌ର ଓଜନ ଛାତ୍ରଛାତ୍ରୀଙ୍କ ଓଜନର ୧୦ ପ୍ରତିଶତ ଅଧିକ ହୋଇପାରିବ ନାହିଁ। ସ୍କୁଲ ପରିସରରେ ଓଜନ ମେସିନ୍‌ରେ ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ବ୍ୟାଗ୍‌ ଓଜନ ମାପିବାକୁ ବାଧ୍ୟତାମୂଳକ କରିଛନ୍ତି ମନ୍ତ୍ରାଳୟ।

ଏହା ସହ ସ୍କୁଲ୍‌ରେ ଲକ୍‌ର, ଡିଜିଟାଲ ଓ୍ବେଟ୍‌ ମେସିନ୍‌, ପରିସରରେ ପିଇବା ପାଣି ଉପଲବ୍ଧ କରାଇବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛନ୍ତି। ଏହା ସହ ଛାତ୍ରଛାତ୍ରୀଙ୍କ ଟ୍ରଲି ବ୍ୟାଗ ଉପରେ ରୋକ ଲଗାଯାଇଛି। ଅନ୍ତରାଷ୍ଟ୍ରୀୟ ଏଜେନ୍ସିର ସୁପାରିଶ କ୍ରମେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସ୍କୁଲ ବ୍ୟାଗ୍‌ରେ ଅଲଗା କମ୍ପାଟମେଣ୍ଟ ରହିବା ଦରକାର। ଏହା ଦ୍ବାରା ବ୍ୟାଗ୍‌ର ଓଜନ କମିବ। ସେପଟେ ଟ୍ରଲି ବ୍ୟାଗ ଉପରେ ପ୍ରତିବନ୍ଧ ଲଗାଯାଇଛି, କାରଣ ଚକ ଲାଗିଥିବା ବ୍ୟାଗ ନେଇ ସିଢ଼ିରେ ଉଠିବା ବେଳେ ପିଲାଙ୍କୁ ଆଘାତ ଲାଗିବାର ଭୟ ରହିଛି। କୌଣସି ପ୍ରକାର ବହି ଆଣିବାକୁ କହିଲା ବେଳେ ଏହାର ଓଜନ ଉପରେ ଧ୍ୟାନ ଦେବେ ଶିକ୍ଷକ। ପ୍ରତ୍ୟେକ ବହିର ଓଜନ ପ୍ରତିବର୍ଗ ମିଟର ପ୍ରତି କେତେ ସେନେଇ ବହି ଉପରେ ଛାପିବେ ପ୍ରକାଶକ ସଂସ୍ଥା।

ଏହା ସହ ନୂଆ ନୀତି ଅନୁସାରେ ପ୍ରତି ଶ୍ରେଣୀ ପାଇଁ କଣ ହୋମ ଓ୍ବାର୍କ ରହିବ ତାହା ଉପରେ ବି ନିୟମ କରାଯାଇଛି। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କୌଣସି ହୋମ ଓ୍ବାର୍କ ଦିଆଯିବ ନାହିଁ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ରନ୍ତ ଛାତ୍ରଛାତ୍ରୀଙ୍କୁ ଦିନକୁ ସର୍ବାଧିକ ଦୁଇ ଘଣ୍ଟାର ହୋମ ଓ୍ବାର୍କ ଦିଆଯିବ। ନୂଆ ନୀତି ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‌ ଜ୍ଞାନ ବଢ଼ାଇ ହେବ ବୋଲି ମନ୍ତ୍ରାଳୟ ଆଶା ପ୍ରକାଶ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.