ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଉପୁଜିଲାଣି ନୂଆ ସନ୍ଦେହ, ହାରିଲେ ହୋଇନପାରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣ
24/09/2020 at 10:02 PM

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ହୁଏତ ସହଜରେ ଗ୍ରହଣ କରି ନପାରନ୍ତି ଡୋନାଲ୍ଡ ଟ୍ରମ୍ପ। ହୁଏତ ସେ ଶାନ୍ତିପୂର୍ଣ୍ଣ କ୍ଷମତା ବି ହସ୍ତାନ୍ତରଣ କରିବେ କି ନା ସେ ନେଇ ମଧ୍ୟ ଏବେଠୁ ସନ୍ଦେହ ଉପୁଜିଲାଣି। ୩ ନଭେମ୍ବର ଆମେରିକା ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଟ୍ରମ୍ପଙ୍କୁ ନେଇ ଉପୁଜିଥିବା ସନ୍ଦେହ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି।

ଯଦି ନିର୍ବାଚନ ନିରପେକ୍ଷ ଓ ସ୍ୱାଧୀନ ହୁଏ ତେବେ କ୍ଷମତା ହସ୍ତାନ୍ତରଣ ପରିସ୍ଥିତି ଉପୁଜିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏଥିରୁ ନିର୍ବାଚନରେ ପରାଜୟକୁ ହୁଏତ ରିପବ୍ଲିକାନ ରାଷ୍ଟ୍ରପତି ଗ୍ରହଣ କରି ନ ପାରନ୍ତି ବୋଲି ଆଶଙ୍କା କରାଯାଉଛି। କୌଣସି ପ୍ରସଙ୍ଗରେ ଟାଳଟୁଳ ନୀତି ଟ୍ରମ୍ପଙ୍କର ପୁରୁଣା ଅଭ୍ୟାସ। ନିକଟରେ ଫକ୍ସ ନ୍ୟୁଜ ସହ ସାକ୍ଷାତକାରବେଳେ ତାଙ୍କର ଷ୍ଟାଣ୍ଡ ପ୍ରାୟ ସ୍ପଷ୍ଟ ଥିଲା। ୨୦୧୬ ମସିହାରେ ମଧ୍ୟ ଜଣେ ପ୍ରାର୍ଥୀ ଭାବେ ନିର୍ବାଚନରେ ପରାୟଜୟକୁ ସେ ଗ୍ରହଣ କରିବେନି ବୋଲି କହିଥିଲେ।

ହ୍ୱାଇଟ୍ ହାଉସ୍ ବ୍ରିଫିଙ୍ଗ ବେଳେ ଜନୈକ ସାମ୍ବାଦିକ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରଣ ନେଇ ଟ୍ରମ୍ପଙ୍କୁ ପଚାରି ଦେଇଥିଲେ। ଏହାର ଉତ୍ତର ରଖି ଟ୍ରମ୍ପ କହିଥିଲେ ‘ଦେଖିବା କଣ ହେଉଛି’। ଆପଣ ଜାଣନ୍ତି ବାଲଟକୁ ନେଇ ମୁଁ ଜୋରଦାର ଆପତ୍ତି କରେ। ଏଣୁ ବାଲଟକୁ ଏକ ବିପଦ ବୋଲି କହିଥିଲେ ଟ୍ରମ୍ପ। ଏବେ ଦେଶରେ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଏଥିରେ ଟ୍ରମ୍ପ ଏକ ପ୍ରଚାର କାର୍ଯ୍ୟକ୍ରମରେ ବିନା ପ୍ରମାଣରେ ମେଲ-ଇନ ବାଲଟ ବ୍ୟବସ୍ଥାରେ ବ୍ୟାପକ ଗଡବଡ ଆଶଙ୍କା କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।