ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଗିରଫ ତାନ୍ତ୍ରିକଙ୍କ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ

Published By : Prameya-News7 Bureau | July 18, 2025 IST

ବାରିପଦା ୧୮/୦୭: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ମୟୁରଭଞ୍ଜରେ ଅନ୍ତଃରାଜ୍ୟ ବାଘଛାଲ ରାକେଟ୍‌ର ଚେର ଖୋଜୁ ଖୋଜୁ ମିଳିଛି ସାଙ୍ଘାତିକ ତଥ୍ୟ । ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର । ଗିରଫ ହୋଇଥିବା ମୁଖ୍ୟ କାର୍ପଟ୍‌ଦାର ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକେଇ ଦେବା ଭଳି ତଥ୍ୟ । 

ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି । ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ ।  

ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ବର ଓ ମୟୂରଭଞ୍ଜର ୭ ଜଣ ଅଭିଯୁକ୍ତ ଧରାପଡ଼ିଥିଲେ । ସେମାନଙ୍କ ପାଖରୁ ୭ଟି ମୋବାଇଲ୍‌ ଜବତ ହୋଇଥିଲା । ତେବେ ତାନ୍ତ୍ରିକ ଗୁରୁପ୍ରସାଦର ମ‌ୋବାଇଲ୍‌ ଖୋଲିବା ପରେ ତଦନ୍ତକାରୀ ଟିମ୍‌ ତାଜୁବ୍‌ ହୋଇଯାଇଛି ।

ସେଥିରେ ୪୮୦ରୁ ଅଧିକ ଭିଡିଓ ରହିଥିବା ବେଳେ ମହିଳାଙ୍କର ଶତାଧିକ ଆପତ୍ତିଜନକ ଭିଡିଓ ସହ ଫଟୋ ମଧ୍ୟ ରହିଛି । ତନ୍ତ୍ରସାଧନା ବେଳେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି ।  ତେବେ ଯାଞ୍ଚ ପାଇଁ ଶିକ୍ଷକ ଓ ତାନ୍ତ୍ରିକଙ୍କ ମୋବାଇଲ୍‌ ସହ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍‌ଗୁଡ଼ିକୁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ  ।

ଅଭିଯୁକ୍ତଙ୍କ ଫୋନ୍‌ଗୁଡ଼ିକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି  ।  ରିପୋର୍ଟ ଆସିଲେ ତଦନ୍ତ ତ୍ବରାନ୍ବିତ ହେବ ।  ଅଭିଯୁକ୍ତମାନଙ୍କୁ ଗତକାଲି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  ଅଧିକ ଜେରା ପାଇଁ ‌ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ସତର୍କତାର ସହ କାମ କରୁଛି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.