ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ନବଜାତକର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ଦମ୍ପତ୍ତି

Published By : Prameya-News7 Bureau | July 05, 2022 IST

ଢେଙ୍କାନାଳ ୫।୭: ବଡ଼ ଡାକ୍ତରଖାନା । ଭଲ ଚିକିତ୍ସା ମିଳିବ । ଏଥିପାଇଁ ବଡ଼ ଆଶା ନେଇ ଆସିଥିଲେ ଦମ୍ପତ୍ତି । ଆଉ ନିରାଶରେ ଫେରିଲେ । ଚିକିତ୍ସା ବଦଳରେ ମିଳିଲା ଧମକ । ଉତ୍ତମ ଚିକିତ୍ସାର ଆଶା ନେଇ  ଆସୁଥିବା ଲୋକ ଓ ରୋଗୀମାନଙ୍କ କ୍ଷେତ୍ରରେ ବାରମ୍ବାର ଏଭଳି ଅଭାବନୀୟ ପରିସ୍ଥିତି ଉପୁଜୁଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ଏପରିକି ପ୍ରସବ ପାଇଁ ଯାଜପୁର ଜିଲ୍ଲାରୁ ସୋମବାରଠାରୁ ଆସିଥିବା ଜଣେ ମହିଳା ଜନ୍ମ ଦେଇଥିବା ଏକ କନ୍ୟା ସନ୍ତାନର ମୃତ୍ୟୁକୁ ନେଇ ପୁଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ  ଓ ପ୍ରସୂତୀ ବିଭାଗରେ ଚିକିତ୍ସା ଅବହେଳା ଅଭିଯୋଗ ଉଠିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ଦାମୋଦରପୁର ଗ୍ରାମର ସଞ୍ଜୟ ଖିଲାର ତାଙ୍କ ପତ୍ନୀ ମୀରା ଦାସଙ୍କ ପ୍ରସବ ପାଇଁ ସୋମବାର ସକାଳ ୧୦ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର  ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ତେବେ ରାତି ପ୍ରାୟ ୧୦ଟାରେ ଗର୍ଭ ଯନ୍ତ୍ରଣା ଅସହ୍ୟ କରିବାରୁ ସଞ୍ଜୟ ଡାକ୍ତରଙ୍କୁ ଭେଟି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ମାତ୍ର ଡାକ୍ତର ତାଙ୍କୁ  ଇଂଜେକସନ ଦେଇ ଚୁପ ହୋଇ ରହିଗଲେ । ପରେ ରାତିରେ ଗର୍ଭ ଯନ୍ତ୍ରଣା ଅସହ୍ୟ କରିଥିଲେ ମଧ୍ୟ ଡାକ୍ତର ଆଉ ଶୁଣିନଥିଲେ । ଫଳରେ ଭୋର ପ୍ରାୟ ୩ଟା ସମୟରେ ଏକ  ଶିଶୁ କନ୍ୟା ଜନ୍ମ ହେବା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ମାତ୍ର ଏପରି ସମ୍ବେଦନଶୀଳ ପରିସ୍ଥିତିରେ ଶିଶୁ କନ୍ୟା ଓ ପ୍ରସୂତୀ ମହିଳାଙ୍କୁ ସଠିକ୍ ଚିକିତ୍ସା ଦେବା ବଦଳରେ ପାଲଟା ତୁରନ୍ତ ଏହି ମୃତ ଶିଶୁ କନ୍ୟା ସହ ପ୍ରସୂତୀ ମହିଳାଙ୍କୁ ନେଇ ଚାଲିଯିବାକୁ ବିଭାଗୀୟ ଡାକ୍ତର ଓ କର୍ମଚାରୀ ଉକ୍ତ ଦମ୍ପତ୍ତିଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାକି ଡାକ୍ତରଖାନାର ରୋଗୀଙ୍କ ମହଲରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ଏପରି ପରିସ୍ଥିତି ପାଇଁ ଡାକ୍ତର ଓ କର୍ମଚାରୀଙ୍କ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ଦମ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.