ବଢିବାରେ ଲାଗିଛି ନୀରଜ ଚୋପ୍ରାଙ୍କ ବ୍ରାଣ୍ଡ ଭାଲ୍ୟୁ, ଆଜି ଏତିକି କୋଟି ସଂପତ୍ତିର ମାଲିକ

Published By : Prameya-News7 Bureau | July 25, 2022 IST

ନୂଆଦିଲ୍ଲୀ: ତାରକା ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପରେ ଇତିହାସ ରଚିଛନ୍ତି। ନୀରଜ ରବିବାର ଫାଇନାଲ୍ ମୁକାବିଲାରେ ୮୮.୧୩ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ  ପୁରୁଷ ଆଥଲେଟ୍। ମୋଟାମୋଟି ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଦ୍ଵିତୀୟ ଭାରତୀୟ ଖେଳାଳି। ଏହା ପୂର୍ବରୁ ୨୦୦୩ରେ ଅଞ୍ଜୁ ବିବି ଜର୍ଜ ଲମ୍ବ ଡିଆଁ(ଲଙ୍ଗ ଜମ୍ପ୍)ରେ କାଂସ୍ୟ ପଦକ ଜିତିଥିଲେ।

ଟୋକିଓ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବା ପରଠୁ ନୀରଜ ଚୋପ୍ରାଙ୍କ ଉପରେ ପୁରସ୍କାର ବର୍ଷା ହୋଇ ଚାଲିଛି। ସିଏନଲେଜ୍‌ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ନୀରଜଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୪ ମିଲିୟନ ଡଲାର ଅର୍ଥାତ ୩୧.୯୩ କୋଟି ଟଙ୍କା ହୋଇ ସାରିଛି। ଆଗାମୀ ଦିନରେ ତାଙ୍କ ସଂପତ୍ତିର ମୂଲ୍ୟ ଆହୁରି ବଢିବ ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ନୀରଜ ଲଗାତାର ଦେଶ ପାଇଁ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ତାଙ୍କର ପଦକ ଜିତିବାର ପୂରା ସମ୍ଭାବନା ରହିଛି।

ବିଜ୍ଞାପନ ଦୁନିଆର ତାରକା

ଗତ ବର୍ଷ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବା ପରଠୁ ନୀରଜ ବିଜ୍ଞାପନ ଦୁନିଆରେ ଏକ ତାରକା ଭାବେ ଆର୍ବିଭାବ ହୋଇଛନ୍ତି। ତାଙ୍କ ବ୍ରାଣ୍ଡ ଭାଲ୍ୟୁରେ ଶତ ପ୍ରତିଶତ ବୃଦ୍ଧି ଘଟିଛି। ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜ ନାଇକି, ସ୍ପୋର୍ଟ୍ସ ଡ୍ରିଙ୍କ ବ୍ରାଣ୍ଡ ଗେରୋଟେଡ୍, ଏକ୍ସାନମୋବିଲର ବ୍ରାଣ୍ଡ ପ୍ରଚାରକ ଥିଲେ। ଗତ ବର୍ଷ ସ୍ଵର୍ଣ୍ଣ  ପଦକ ଜିତିବା ପରେ ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ନୀରଜ ଚୋପ୍ରାଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଥିଲା। ଏଥିସହ ସେ କ୍ରେଡିଟ୍ କାର୍ଡ ଆପ୍ କ୍ରେଡ୍‌ର ବିଜ୍ଞାପନରେ ନଜର ଆସିଥିଲେ। ନୀରଜ ସଂପ୍ରତି ବିଜ୍ଞାପନ ଜରିଆରେ ଖୁବ୍ ଆୟ କରୁଛନ୍ତି।

୨୦୧୬ରେ ଚର୍ଚ୍ଚାକୁ ଆସିଲେ

ହରିୟାଣାର ପାନିପଥ ଜିଲ୍ଲାରେ ଜନ୍ମିତ ନୀରଜ ପ୍ରଥମ ଥର ୨୦୧୬ରେ ପୋଲାଣ୍ଡରେ ଆୟୋଜିତ ଆଇଏଏଏଫ ବିଶ୍ଵ ଚାମ୍ପିଅନଶିପରେ ୮୬.୪୮ ମିଟର ଭାଲା ଫିଙ୍ଗି ରେକର୍ଡ ପ୍ରଦର୍ଶନ ସହ ସ୍ଵର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ। ସେହି ବର୍ଷ ନୀରଜ ଦକ୍ଷିଣ ଏସୀୟ କ୍ରୀଡାରେ ୮୨.୨୩ ମିଟର ଫିଙ୍ଗିବା ସହିତ ଆଉ ଏକ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହା ପରେ ସେ ୨୦୧୭ରେ ୮୫.୨୩ ମିଟର ଜାଭେଲିନ ଫିଙ୍ଗି ଏସୀୟ ଆଥଲେଟିକ୍ସ ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ପୁଣି ୨୦୧୮ ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.