ଉଲଗ୍ନ କରି ଡାକ୍ତରୀ ଯାଞ୍ଚ ମାମଲା : ଗୁଜୁରାଟ ମୁଖ୍ୟ ଶାସନସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମହିଳା ଆୟୋଗ
21/02/2020 at 9:19 PM

ନୂଆଦିଲ୍ଲୀ ୨୧।୨: ଭୁଜ ଘଟଣା ପରେ ସୁରାଟରେ ମହିଳା ଟ୍ରେନି କ୍ଲର୍କମାନଙ୍କୁ ନିର୍ବସ୍ତ୍ର କରାଇ ସ୍ତ୍ରୀ ରୋଗ ସମ୍ପର୍କିତ ଡାକ୍ତରୀ ଯାଞ୍ଚ ମାମଲା ସାମ୍ନାକୁ ଆସିଛି। ଘଟଣାରେ ଜାତୀୟ ମହିଳା କମିଶନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ପତ୍ର ଲେଖି ଗୁଜୁରାଟ ମୁଖ୍ୟ ଶାସନ ସଚିବ ଅନିଲ ମୁକିମ୍ ଓ ସଚିବ ଡା. ଜୟନ୍ତୀ ଏସ୍.ରବିଙ୍କୁ ରିପୋର୍ଟ ତଲବ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ସମାଜରେ ଘଟୁଥିବା ଏଭଳି ଘଟଣାକୁ ଅଶୋଭନୀୟ କହିଛନ୍ତି। ସଭ୍ୟ ସମାଜ ଏହାକୁ ଗ୍ରହଣ କରେ ନାହିଁ ବୋଲି ଶର୍ମା କହିଥିବା ବେଳେ ଏଭଳି ମାମଲାର ଯାଞ୍ଚ ହେବା ଜରୁରି ବୋଲି କହିଛନ୍ତି। ଏଥିଲାଗି ସେ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିବା ସୂଚିତ କରିଛନ୍ତି।
ଗୁଜୁରାଟ ସୁରାଟରେ ମହିଳା ଟ୍ରେନି କ୍ଲର୍କମାନଙ୍କୁ ନିର୍ବସ୍ତ୍ର କରି ସ୍ତ୍ରୀ ରଗ ସମ୍ପର୍କିତ ଡାକ୍ତରୀ ଯାଞ୍ଚ କରାଯାଇଥିବା ଜଣାପଡିଛି। ଏହି ଯାଞ୍ଚ ବେଳେ ମହିଳାଙ୍କୁ କିଛି ଆପତ୍ତିଜନକ ପ୍ରଶ୍ନ ମଧ୍ୟ କରାଯାଇଥିଲା। ଗୁଜୁରାଟ ରାଜ୍ୟ ସରକାରଙ୍କ ପରିଚାଳିତ ସୁରଟ ମ୍ୟୁନସିପାଲ କର୍ପୋରେସନ ଅନ୍ତର୍ଗତ ଏକ ହସ୍ପିଟାଲରେ ଏଭଳି ନିନ୍ଦନୀୟ ଘଟଣା ଘଟିଛି। କର୍ପୋରେସ କର୍ମଚାରୀ ସଂଘ ଘଟଣା ନେଇ ମ୍ୟୁନସିପାଲ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି।
ସଂଘର ଅଭିଯୋଗ ଅନୁସାରେ କର୍ପୋରେସନର ୧୦୦ରୁ ଅଧିକ ମହିଳା ଟ୍ରେନି କ୍ଲର୍କମାନଙ୍କୁ ଶାରୀରିକ ଫିଟନେସ ଟେଷ୍ଟ ନାମରେ ସୁରଟ ନଗର ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାରେ ପରୀକ୍ଷା କରାଯାଇଥିଲା। ଏଠାରେ ସେମାନଙ୍କୁ ୧୦ ଜଣକରି ଗୋଷ୍ଠୀରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କୁ ଉଲଗ୍ନ ହେବାକୁ କୁହାଯାଇଥିଲା। ସେତେବେଳେ ସେମାନଙ୍କ ଶାରୀରିକ ଅବୟବକୁ ନେଇ ଅଶ୍ଲୀଳ ମନ୍ତବ୍ୟ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।