NCLATରୁ ଗୁଗଲକୁ ମିଳିଲାନି ଆଶ୍ୱସ୍ତି, ୩୦ ଦିନରେ ୧୩୩୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 29, 2023 IST

ନୂଆଦିଲ୍ଲୀ: ନ୍ୟାସନାଲ କମ୍ପାନି ଲ' ଅପିଲେଟ୍ ଟ୍ରିବ୍ୟୁନାଲରୁ ମଧ୍ୟ ଗୁଗଲକୁ ଝଟକା ଲଗିଛି । ଭାରତୀୟ ପ୍ରତିଦ୍ୱନ୍ଦ୍ୱୀତା ଆୟୋଗ (ସିସିଆଇ) ଆଣ୍ଡ୍ରଏଡ ଦବଦବାର ଦୁରୁପଯୋଗକୁ ନେଇ ଗୁଗଲ ଉପରେ ୧୩୩୮ କୋଟି ଟଙ୍କାର ଜରିମାନା ଲଗାଇଥିଲା । ଗୁଗଲକୁ ଜରିମାନା ରାଶି ପୈଠ କରିବା ପାଇଁ ୩୦ ଦିନର ସମୟ ଦିଆଯାଇଛି । ତେବେ ଗୁଗଲ ପାଖରେ ଏବେ ବି ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିବାର ସୁଯୋଗ ରହିଛି । ସିସିଆଇ ପ୍ରକାର ପକ୍ଷପାତିତା କରିଥିବା ନେଇ ଗୁଗଲ ରଖିଥିବା ଯୁକ୍ତିକୁ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଖାରଜ କରିଥିଲେ ।

ଏନସିଏଲଏଟି କହିଛି ଯେ ସ୍ମାର୍ଟଫୋନ କମ୍ପାନିଗୁଡିକୁ ଗୁଗଲ ନିଜର ୧୧ ଆପକୁ ପୂର୍ବକୁ ଇନଷ୍ଟଲ କରିବା ପାଇଁ କହିଥାଏ, ଯାହା ବ୍ୟବସାୟର ଭୁଲ ବାଟ ଅଟେ । ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛନ୍ତି ଯେ ଗୁଗଲ ପ୍ରକୃତରେ କମ୍ପାନିଗୁଡିକୁ ନିଜସ୍ୱ ଆଣ୍ଡ୍ରଏଡ ବିକଶିତ କରିବାରେ ପ୍ରତିବନ୍ଧକ ଲଗାଉଛି । ଏଥିପାଇଁ ଆଣ୍ଟି ଫ୍ରେଗମେଣ୍ଟସନ ଏଗ୍ରିମେଣ୍ଟ (ଏଏଫଏ)ର ବ୍ୟବହାର କରିଥାଏ ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ୨୦୧୮ରେ ଆଣ୍ଡ୍ରଏଡ ୟୁଜର୍ସ ସିସିଆଇ ନିକଟରେ ଗୁଗଲ ବିରୋଧରେ ଫେରାଦ ହୋଇଥିଲେ । ଗୁଗଲ ମୋବାଇଲ୍ ଅପରେଟିଂ ସିଷ୍ଟମ ସହ ଜଡିତ ମାର୍କେଟରେ ନିଜ ଦବଦବାର ଅପବ୍ୟବହାର କରୁଛି ଯାହା ପ୍ରତଦ୍ୱନ୍ଦ୍ୱୀତା ଆକ୍ଟର ଉଲ୍ଲଂଘନ କରୁଛି । ଗୁଗଲର ଏମଏଡିଏ ନୀତିକୁ ସେମାନେ ବିରୋଧ କରିଥିଲେ । ଏହି ନୀତି ଅନୁସାରେ ଗୁଗଲ ସ୍ମାର୍ଟଫୋନ କମ୍ପାନିଗୁଡିକୁ ନିଜ ଫୋନରେ ଗୁଗଲ ମୋବାଇଲ ସର୍ଭିସେଜ୍ ସୁଇଟ୍ ଅର୍ଥାତ୍ ଏହା ଆପକୁ ପ୍ରି ଇନଷ୍ଟଲ କରିବାକୁ କହିଥାଏ । ଏହାପରେ ତଦନ୍ତ କରି ସିସିଆଇ ୨୦୨୨ ଅକ୍ଟୋବର ୨୦ରେ ଗୁଗଲ ଉପରେ ୧୩୩୮କୋଟି ଟଙ୍କାର ଜରିମାନା ଲଗାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.